ବିଶାଖାପାଟଣା,୨୭|୧୧: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ବୁଧବାର ମହମ୍ମଦ ୟୁନୁସ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ବାଂଲାଦେଶ ସରକାରଙ୍କୁ ବାଂଲାଦେଶ ଗଠନରେ ଭାରତୀୟ ସୈନିକମାନଙ୍କ ବଳିଦାନ ସମ୍ପର୍କରେ ମନେ ପକାଇ ଦେଇଛନ୍ତି। ସେ କହିଛନ୍ତି ଯେ, ବାଂଲାଦେଶ ଗଠନ ପାଇଁ ଭାରତୀୟ ଯବାନମାନେ ନିଜ ଜୀବନବଳି ଦେଇଥିଲେ; କିନ୍ତୁ ଆଜି ସେଠାରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ହେଉଛି ।
ସୂଚନାଯୋଗ୍ୟ ଯେ, ବାଂଲାଦେଶରେ ହିନ୍ଦୁ ଶୋଭାଯାତ୍ରା କରିଥିବାରୁ ଇସ୍କନ ମନ୍ଦିରର ପୂଜକ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯାଇଥିଲା। ଏହାପରେ ତାଙ୍କ ଜାମିନ ଆବେଦନକୁ ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ କୋର୍ଟ ପକ୍ଷରୁ ଖାରଜ ହେବାପରେ ହିନ୍ଦୁ ଧର୍ମାବଲମ୍ବୀ ମାନେ ବିଦ୍ରୋହ ଆରମ୍ଭ କରିଥିଲେ। ଏହାପରେ ସେଠାରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ବଢ଼ିଚାଲିଛି।
ଅପରପକ୍ଷରେ, ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫ ଏବଂ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ତୀବ୍ର ନିନ୍ଦା କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, ଆସନ୍ତୁ ସମସ୍ତେ ଏକାଠି ହୋଇ ବାଂଲାଦେଶର ଇସ୍କନ ମନ୍ଦିରର ପୂଜକ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନିନ୍ଦା କରିବା। ଆମେ ବାଂଲାଦେଶର ମହମ୍ମଦ ୟୁନୁସ ସରକାରଙ୍କୁ ଅନୁରୋଧ କରୁଛୁ ଯେ ସେଠାରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବନ୍ଦ କରନ୍ତୁ।
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ବାଂଲାଦେଶ ଗଠନରେ ଭାରତୀୟ ସେନାର ସୈନିକମାନେ ଯୋଗଦାନ ଦେଇଥିଲେ, ଆମର ସମ୍ବଳବ୍ୟବହାର କରାଯାଇଥିଲା ଏବଂ ଭାରତୀୟ ସୈନିକମାନେ ସେମାନଙ୍କର ଜୀବନ ଦେଇଥିଲେ। କିନ୍ତୁ ସେଠାରେ ଆମର ହିନ୍ଦୁ ଭାଇ ଭଉଣୀମାନଙ୍କୁ ଯେପରି ଆକ୍ରମଣ କରାଯାଉଛି ସେଥିପାଇଁ ଆମେ ବ୍ୟଥିତ।
ପ୍ରକାଶଥାଉ କି, ବାଂଲାଦେଶର ପୁଣ୍ଡରୀକ ଧାମର ସଭାପତି ଚିନ୍ମୟ କୃଷ୍ଣା ଦାସ ବ୍ରହ୍ମଚାରୀଙ୍କୁ ବିଦେଶ ଯାତ୍ରା କରିବାକୁ ଅନୁମତି ଦିଆଯାଉ ନ ଥିବା ବେଳେ ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସାକୁ ସେ ଲଗାତର ବିରୋଧ କରି ଆସୁଥିଲେ । ଏହା ସହିତ ସେ ନିକଟରେ ଏକ ହିନ୍ଦୁ ଶୋଭାଯାତ୍ରା ମଧ୍ୟ କରିଥିଲେ । ସେଥିପାଇଁ ଢାକା ପୁଲିସ ତାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରି ସୋମବାର ତାଙ୍କୁ ଗିରଫ କରିଥିଲା ।