ମଙ୍ଗଳବାର ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଗୃହ ନିର୍ମାଣ ଓ ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରଶ୍ନ କରିଥିଲେ। ଶ୍ରୀ ତ୍ରିପାଠୀ ମନ୍ତ୍ରୀଙ୍କୁ ପଚାରିଥିଲେ ଯେ, “ରାଜ୍ୟରେ ମୋ ସାଇକେଲ ଯୋଜନା କେବେ ଆରମ୍ଭ ହୋଇଥିଲା ଏବଂ କେତେ ଅର୍ଥ ବ୍ୟୟରେ କେଉଁ କେଉଁ ଦେଶରୁ କେତେ ସଂଖ୍ୟାରେ କେଉଁ ଶ୍ରେଣୀର ସାଇକେଲ କିଣା ଯାଇଥିଲା?
ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ଭୁବନଶ୍ୱର ମହାନିଗମ ଅଂଚଳରେ ସର୍ବ ସାଧାରଣଙ୍କ ବ୍ୟବହାର ନିମନ୍ତେ ସ୍ମାର୍ଟ ସିଟି ମିଶନର ନିର୍ଦ୍ଦେଶାବଳୀ ଅନୁଯାୟୀ ଭୁବନଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ର ପ୍ରସ୍ତାବକ୍ରମେ IBI କନ୍ସଲଟାନସି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରାଯାଇଥିଲା। ଏହି ବିବରଣୀ ଆଧାରରେ ମୁକ୍ତ ଟେଣ୍ଡର ଆହ୍ୱାନ କରାଯାଇ କ୍ୟାପିଟାଲ ରିଜନ ବାନ ଟ୍ରାନ୍ସପୋର୍ଟ (CRUT) ମାଧ୍ୟମରେ ୨୦୧୮ ମସିହା ନଭେମ୍ବର ମାସରେ ସାଇକେଲ ପିଛା ୨୫,୦୦୦ ତାଙ୍କ ବ୍ୟୟରେ ୨୦୦୦ଟି ସାଇକେଲ କିଣା ଯାଇଥିଲା। ସେଥିମଧ୍ୟରୁ ହିରୋ ୟୁନ ସଂସ୍ଥା ଠାରୁ ୧୦୦୦ଟି ସାଇକେଲ, ୟୁଲୁ ବାଇକ୍ସ ପ୍ରାଇଭେଟ ଲିମିଟେଡ଼ ଠାରୁ ୫୦୦ଟି ସାଇକେଲ ଓ ଧରଣୀ ଏଣ୍ଟରପ୍ରାଇଜର୍ସ ଠାରୁ ୫୦୦ଟି ସାଇକେଲ କିଣା ଯାଇଥିଲା।
ଏହାପରେ ପୁଣି ଶ୍ରୀ ତ୍ରିପାଠୀଙ୍କ , “ଏବେ ସେହି ସାଇକେଲ ମଧ୍ୟରେ କେତେ ସଂଖ୍ୟକ ସାଇକେଲ ନଷ୍ଟ ହୋଇଛି ଓ କେତେ ସଂଖ୍ୟକ ସାଇକେଲ ଚଳନକ୍ଷମ ଅବସ୍ଥାରେ ରହିଛି? ରାସ୍ତାକଡ଼ରେ ଭଙ୍ଗାରୁଜା ଅବସ୍ଥାରେ ପଡି ରହିଥିବା ମୋ ସାଇକେଲଗୁଡିକ ସରକାରଙ୍କ ନଜରକୁ ଆସିଛି କି ନାହିଁ? ଯଦି ହଁ, ତେବେ ଏଗୁଡ଼ିକୁ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦେବାପାଇଁ କୌଣସି ଯୋଜନା କରିବେ କି?” ପ୍ରଶ୍ନରେ ଶ୍ରୀ ମହାପାତ୍ର ଉତ୍ତର ଦେଇ କହିଥିଲେ ଯେ, ” ଏହି ସାଇକେଲ ଗୁଡିକୁ ଭୁବନେଶ୍ୱରର ବିଭିନ୍ନ ସ୍ଥିରୀକୃତ ସ୍ଥାନରେ ସର୍ବ ସାଧାରଣଙ୍କ ବ୍ୟବହାର ନିମନ୍ତେ ରଖାଯାଇଛି ଏବଂ ମରାମତି ପାଇଁ କିଛି ସାଇକେଲକୁ ମରାମତି କେନ୍ଦ୍ରକୁ ପଠାଯାଇଛି। ସାଇକେଲ ଗୁଡିକୁ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦେବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଯୋଜନା ହୋଇନାହିଁ।”
ସୂଚନାଯୋଗ୍ୟ ଯେ, ଗତ ୨୨ତାରିଖରୁ ସପ୍ତଦଶ ବିଧାନସଭାର ବଜେଟ ଅଧିବବେଶନ ଆରମ୍ଭ ହୋଇଥିବା ବେଳେ ଏହା ୨ଟି ପର୍ଯ୍ୟାୟରେ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।