ଗତ ୨୨ତାରିଖରୁ ସପ୍ତଦଶ ବିଧାନସଭାର ବଜେଟ ଅଧିବବେଶନ ଆରମ୍ଭ ହୋଇଥିବା ବେଳେ ଏହା ୨ଟି ପର୍ଯ୍ୟାୟରେ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ମଙ୍ଗଳବାର ବିଧାନସଭା ଅଧିବେଶନ ସମୟରେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ଶ୍ରୀ ତାରାବାହିନୀ ପତି ଗୃହ ନିର୍ମାଣ ଓ ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଭୁବନେଶ୍ୱରରେ ଥିବା ମୁକୁଳା ଡ୍ରେନ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ। ଏହି ସମୟରେ ଶ୍ରୀ ପତି ପଚାରିଥିଲେ ଯେ, “BMC ଅଧୀନରେ ବର୍ତ୍ତମାନ କେତେ କି.ମି. ଡ୍ରେନ କେଉଁ ବିଭାଗ ଅଧୀନରେ ଅଧୀନରେ ଅଛି?”
ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ କହିଥିଲେ ଯେ, “BMC ଅଧୀନରେ ସମୁଦାୟ ୧୯୦୭.୭ କି.ମି. ଡ୍ରେନ ରହିଛି। ସେଥିମଧ୍ୟରୁ ୬୮.୨ କି.ମି. ବିଶିଷ୍ଟ ମୁଖ୍ୟ ଡ୍ରେନ (BMC ଅଧୀନ) ମୁକୁଳା ଅବସ୍ଥାରେ, ୧୩୮୦ କି.ମି. ବିଶିଷ୍ଟ ଆଭ୍ୟନ୍ତରୀଣ ଡ୍ରେନ (BMC ଅଧୀନ) ମଧ୍ୟରୁ ୨୭ କି.ମି. ମୁକୁଳା ଅବସ୍ଥାରେ, ୩୬୦ କି.ମି. ବିଶିଷ୍ଟ ଆଭ୍ୟନ୍ତରୀଣ ଡ୍ରେନ (PWD ଅଧୀନ) ଆଚ୍ଛାଦିତ ଅବସ୍ଥାରେ, ୩୪.୫ କି.ମି. ବିଶିଷ୍ଟ ଆଭ୍ୟନ୍ତରୀଣ ଡ୍ରେନ (NHAI ଅଧୀନ) ଆଚ୍ଛାଦିତ ଅବସ୍ଥାରେ ରହିଛି।”
ଏହାପରେ ଶ୍ରୀ ପତି ପ୍ରଶ୍ନ କରିଥିଲେ ଯେ, “ଗତ ୭ ବର୍ଷ ମଧ୍ୟରେ ମୁକୁଳା ଡ୍ରେନରେ ପଡି କେତେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ଏବଂ ମୁକୁଳା ଡ୍ରେନକୁ କଭର କରିବାକୁ କେଉଁ ପଦକ୍ଷେପ ନିଆଯିବ?” ଏହି ପ୍ରଶ୍ନର ଉତ୍ତରରେ ଡ଼. ମହାପାତ୍ର, BMC ଅଞ୍ଚଳରେ ଗତ ୭ ବର୍ଷ ମଧ୍ୟରେ ଡ୍ରେନରେ ପଡି ୨ ଜଣଙ୍କ ଜୀବନହାନୀ ହୋଇଥିବା ବେଳେ BMC ଅଧୀନରେ ରହିଥିବା ୨୭ କି.ମି. ବିଶିଷ୍ଟ ମୁକୁଳା ଡ୍ରେନକୁ କଭର କରିବା ପାଇଁ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ସମାପ୍ତ କରାଯିବା ପାଇଁ BMC ପକ୍ଷରୁ ପଦକ୍ଷେପ ନିଆଯାଉଛି” ବୋଲି କହିଥିଲେ।