ମୁଲୁଗୁ: ଦିନକୁଦିନ ଭୁଶୁଡ଼ିବାରେ ଲାଗିଛି ମାଓଦୁର୍ଗ। ଛତିଶଗଡ଼-ଓଡ଼ିଶା-ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଏହାମଧ୍ୟରେ ତେଲଙ୍ଗାନା ପୁଲିସକୁ ମିଳିଛି ବଡ଼ ସଫଳତା। ମୁଲୁଗୁ ଜିଲ୍ଲା ଏତୁରଙ୍ଗାରମ ଜଙ୍ଗଲରେ ଘଟିଥିବା ଏନ୍କାଉଣ୍ଟରରେ ସିପିଆଇ (ମାଓବାଦୀ)ର ୭ ଜଣ କ୍ୟାଡର ନିହତ ହୋଇଛନ୍ତି।
ମୁଲୁଗୁ ଏସ୍ପି ଡକ୍ଟର ସବାରିଶଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ରବିବାର ସକାଳେ ଏହି ଏନ୍କାଉଣ୍ଟର ହୋଇଥିଲା। ମୁଲୁଗୁ ଜିଲ୍ଲାର ଏତୁରଙ୍ଗାରମ ମଣ୍ଡଳ ଅନ୍ତର୍ଗତ ଚଲପାକା ଜଙ୍ଗଲରେ ତେଲେଙ୍ଗାନା ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବନିମୟ ଆରମ୍ଭ ହୋଇଥିଲା। ଏହି ସମୟରେ ୟେଲାଣ୍ଡୁ-ନରସମ୍ପେଟ୍ ଅଞ୍ଚଳର ଅଞ୍ଚଳର କମିଟି କମାଣ୍ଡର ବଦ୍ରୁ ଓରଫ ପାପନ୍ନା ନିହତ ହୋଇଥିଲେ। ଘଟଣାସ୍ଥଳରୁ ପୋଲିସ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏହି ଏନକାଉଣ୍ଟର ସମ୍ପର୍କରେ ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ।
ସେପ୍ଟେମ୍ବର ମାସରେ ତେଲଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଅଞ୍ଚଳରେ ତେଲେଙ୍ଗାନା ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଏନ୍କାଉଣ୍ଟର ହୋଇ ୬ ଜଣ ମାଓବାଦୀ ନିହତ ହୋଇଥିଲେ। ସେହିପରି ନିକଟରେ ସୀମାନ୍ତ ଛତିଶଗଡ଼ରେ ୧୦ ଜଣ ନକ୍ସଲଙ୍କୁ ସୁରକ୍ଷା ବାହିନୀର ଯବାନମାନେ ନିପାତ କରିଥିଲେ।