ନୂଆଦିଲ୍ଲୀ: ଓଡ଼ିଆ ମହିଳା ଆଇନଜୀବୀ ଭାବେ ଇତିହାସ ରଚିଛନ୍ତି ରାଜଦୀପା ବେହୁରା। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ତାଙ୍କୁ ବରିଷ୍ଠ ଆଇନଜୀବୀର ମାନ୍ୟତା ମିଳିଛି।
ଦୀର୍ଘ ୩.୫ ବର୍ଷ ପରେ ୭୦ ଜଣଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରଦାନ ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସ୍ଥାୟୀ କମିଟି ନିଷ୍ପତ୍ତି ନେଇଛି। ଏଥିମଧ୍ୟରେ ୧୨ ଜଣ ମହିଳା ଆଇନଜୀବୀଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ମିଳିଥିବା ବେଳେ ସେଥିମଧ୍ୟରେ ଅଛନ୍ତି ରାଜଦୀପା। ତେବେ ଏହି କୃତିତ୍ୱ ଅର୍ଜନ କରିବାରେ ସେ ପ୍ରଥମ ଓଡ଼ିଆ ମହିଳା । ପ୍ରାୟ ୩୦୦ ଜଣ ଆଇନୀଜୀବୀ ଏହି ମାନ୍ୟତା ପାଇଁ ଆବେଦନ କରିଥିବା ବେଳେ ଅନେକଙ୍କୁ ପଛରେ ପକାଇ ରାଜଦୀପା ନବମ ସ୍ଥାନ ହାସଲ କରିଛନ୍ତି। ତାଙ୍କ ପାଖରେ ୨୩ ବର୍ଷର ଅଭିଜ୍ଞତା ରହିଥିବା ବେଳେ ସେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ, ସର୍ବୋଚ୍ଚ ନ୍ୟାୟାଳୟ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ସମେତ ଦେଶର ଅନ୍ୟ ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟ କରିଛନ୍ତି। ଦେୱାନୀ, ଫୌଜଦାରୀ, କମ୍ପାନୀ ଆରବ୍ରିଟ୍ରେସନ, ଫେମା, ଫେରା, ପିଏମଏଲଏ ଏବଂ ପାରିବାରିକ ବିବାଦ ସମ୍ପର୍କିତ ମାମଲା ପରିଚାଳନାରେ ତାଙ୍କର ଅଭିଜ୍ଞତା ରହିଥିବା ବେଳେ ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟରେ ଉତ୍ତରପ୍ରଦେଶ ସରକାରଙ୍କ ପ୍ୟାନେଲ କାଉନସେଲର ଏବଂ ଓଡ଼ିଶା ସରକାରଙ୍କ ସ୍ପେଶାଲ କାଉନସେଲର, ଦିଲ୍ଳୀ ଉଚ୍ଚ ନ୍ୟାୟାଳୟରେ ପ୍ରବର୍ତ୍ତନ ନିର୍ଦେଶାଳୟର ରିଟେନର କାଉନସେଲର, ଜାତୀୟ ମାନବାଧିକାର ଆୟୋଗରେ ଓଡ଼ିଶା ସରକାରଙ୍କ ଷ୍ଟାଣ୍ଡିଂ କାଉନସେଲର ଓ ଏନଜିଟିରେ ଓଡ଼ିଶା ସରକାରଙ୍କ ପ୍ୟାନେଲ କାଉନସେଲର ଭାବେ ଆଇନଜୀବୀ ବେହୁରା କାମ କରୁଛନ୍ତି।