ଢାକା: ବାଂଲାଦେଶର ହିନ୍ଦୁବିରୋଧୀ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଉ ୨ ଜଣ ହିନ୍ଦୁ ବ୍ରହ୍ମଚାରୀଙ୍କୁ ଗିରଫ କରାଯାଇଥିବା ସଞ୍ଚନ ମିଳିଛି। କୋଲକାତା ଇସ୍କନର ମୁଖ୍ୟ ରାଧାରମଣ ଏନେଇ ସୂଚନା ଦେଇଛନ୍ତି।
ଶନିବାର ଚିନ୍ମୟ କୃଷ୍ଣ ଦାସଙ୍କ ପାଇଁ ପ୍ରସାଦ ନେଇ ଆସିଥିବା ଦୁଇ ଜଣ ବ୍ରହ୍ମଚାରୀ ରୁଦ୍ରପ୍ରୋତି କେଶବ ଦାସ ଓ ରଙ୍ଗନାଥ ଶ୍ୟାମା ମନ୍ଦିରକୁ ଫେରିବା ସମୟରେ ଗିରଫ କରାଯାଇଥିବା ବେଳେ ଚିନ୍ମୟ ପ୍ରଭୁଙ୍କ ସଚିବ ମଧ୍ୟ ନିଖୋଜ ଅଛନ୍ତି।
ଅପରପକ୍ଷରେ ଏହି ଘଟଣାର ତୀବ୍ର ପ୍ରତିବାଦ ଭାରତରେ ଦେଖିବାକୁ ମିଳିଛି। ଶନିବାର କୋଲକାତାର ମାଣିକତଲ୍ଲାସ୍ଥିତ ଜେଏନ୍ ରୟ ହସ୍ପିଟାଲ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଂଲାଦେଶୀ ନାଗରିକଙ୍କ ଚିକିତ୍ସା ବନ୍ଦ କରିଦେଇଥିବା ବେଳେ ତ୍ରିପୁରାର ହସ୍ପିଟାଲଗୁଡ଼ିକ ମଧ୍ୟ ବାଂଲାଦେଶୀ ରୋଗୀଙ୍କ ପାଇଁ ସେମାନଙ୍କ ହସ୍ପିଟାଲର ଦ୍ୱାର ବନ୍ଦ କରିଦେଇଛନ୍ତି । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଇସ୍କନର ପୂର୍ବତନ ମୁଖ୍ୟ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ପ୍ରତିବାଦରେ ହସ୍ପିଟାଲ ଏହି ପଦକ୍ଷେପ ନେଇଥିବା ଦର୍ଶାଇ ଜେଏନ୍ ରୟ ହସ୍ପିଟାଲ୍ ଅଧିକାରୀ ବାଂଲାଦେଶୀ ରୋଗୀଙ୍କ ପ୍ରଥମେ ଚିକିତ୍ସା ସେବା ଯୋଗାଣ ବନ୍ଦ କରିଥିବା ବେଳେ ଏବେ ତ୍ରିପୁରାର ଅଗରତାଲାସ୍ଥିତ ମଲ୍ଟି ସ୍ପେଶାଲିଟି ହେଲଥକେୟାର ମଧ୍ୟ ବାଂଲାଦେଶର ରୋଗୀଙ୍କ ଚିକିତ୍ସା କରିବ ନାହିଁ ବୋଲି ଘୋଷଣା କରିଛି।। ଏନେଇ ହସ୍ପିଟାଲର ମୁଖ୍ୟ ପରିଚାଳନା ଅଧିକାରୀ ଗୌତମ ହଜାରିକା କହିଛନ୍ତି ଯେ, ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ଏବଂ ଜାତୀୟ ପତାକାକୁ ଅପମାନିତ କରିବା କାରଣରୁ ଆମେ ସେଠାରେ ରୋଗୀଙ୍କ ଚିକିତ୍ସା ନ କରିବାକୁ ନିଷ୍ପତ୍ତି ନେଇଛୁ। ବାଂଲାଦେଶରୁ ଆମ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଲୋକଙ୍କ ଚିକିତ୍ସା ବନ୍ଦ କରିବାକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରି ଆଖୌରା ଚେକ୍ ପୋଷ୍ଟ ଓ ହସ୍ପିଟାଲରେ ଥିବା ହେଲ୍ପ ଡେସ୍କ ବନ୍ଦ କରିଛୁ।
ପ୍ରକାଶଥାଉ କି, ନିକଟତରତା ଏବଂ ସୁଲଭ ଚିକିତ୍ସା କାରଣରୁ ତ୍ରିପୁରା ଓ ପଶ୍ଚିମବଙ୍ଗ ଡାକ୍ତରଖାନା ବାଂଲାଦେଶର ରୋଗୀଙ୍କ ପାଇଁ ଏକ ଲୋକପ୍ରିୟ ସ୍ଥାନ ପାଲଟିଛି। ତେବେ ପଶ୍ଚିମବଙ୍ଗର ନଗର ଉନ୍ନୟନ ମନ୍ତ୍ରୀ ତଥା କୋଲକାତା ମେୟର ଫିରହାଦ ହାକିମ ହସ୍ପିଟାଲର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।