ଭୁବନେଶ୍ବର: ଶୁକ୍ରବାରଠାରୁ ଭୁବନେଶ୍ୱରରେ ତିନିଦିନିଆ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ତୃତୀୟ ଦିନ ଅର୍ଥାତ ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସମ୍ମିଳନୀରେ ଯୋଗ ଦେଇଥିଲେ। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହୋଇଥିବା ଏହି ସମ୍ମିଳନୀ ଅବସରରେ ଦେଶର ଆଭ୍ୟନ୍ତରୀଣ ଓ ସୀମା ସୁରକ୍ଷା, ଆତଙ୍କବାଦ ଓ ଉଗ୍ରବାଦ ମୂଳୋତ୍ପାଟନ, ମାଓ ଦମନ ରଣନୀତି, ଜଳ, ସ୍ଥଳ ଓ ଆକାଶ ପଥର ସୀମା ସୁରକ୍ଷା ସମେତ ଆଭ୍ୟନ୍ତର ନିରାପତ୍ତାକୁ ସୁଦୃଢ କରିବା ଲାଗି ରୋଡ଼ମ୍ୟାପ ପ୍ରସ୍ତୁତ ହୋଇଛି । ଏହାସହିତ ଡିଜିଟାଲ ଠକେଇ, ସାଇବର ଅପରାଧ, କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ପ୍ରଯୁକ୍ତି କାରଣରୁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବିପଦ, ଡିପ୍ ଫେକର ବ୍ୟବହାର ଆଶଙ୍କା ଭଳି ଅପରାଧକୁ ଦୂର କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ଏହାସହ ସ୍ମାର୍ଟ ପୁଲିସ ପ୍ରଶାସନର ମନ୍ତ୍ରକୁ ଅଧିକ ବିସ୍ତାର କରିବା ସହ ପୁଲିସକୁ ରଣନୀତିକ, ନିଷ୍ଠାପର, ଅନୁକୂଳ, ବିଶ୍ୱସନୀୟ ଓ ସ୍ୱଚ୍ଛତାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଏହାସହ ପୁଲିସ ବାହିନୀର କାର୍ଯ୍ୟଭାର ହ୍ରାସ କରିବା ନିମନ୍ତେ ଅଧିକରୁ ଅଧିକ ପ୍ରଯୁକ୍ତି ଓ ଜ୍ଞାନକୌଶଳର ବ୍ୟବହାର ପାଇଁ ସେ ଆହ୍ବାନ ଦେବା ସହ ଥାନାକୁ ସମ୍ବଳ ଆବଣ୍ଟନର କେନ୍ଦ୍ରବିନ୍ଦୁ କରିବାକୁ ପରାମର୍ଶ ଦେଇଥିଲେ। ବାଂଲାଦେଶ ଏବଂ ମିଆଁମାର ସୀମାରେ ଉପୁଜିଥିବା ନିରାପତ୍ତା ସମସ୍ୟା, ସହରାଞ୍ଚଳ ପୁଲିସର ଧାରା ଏବଂ ମନ୍ଦ ଉଦ୍ଦେଶ୍ୟପୂର୍ଣ୍ଣ ଗୁଜବ ସୃଷ୍ଟି ଭଳି ସମସ୍ୟା ଆଦିର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ହୋଇଥିଲା।
ରବିବାର ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଏବଂ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ ଲୋକସେବା ଭବନ ସମ୍ମିଳନୀ କକ୍ଷରୁ ବାହାରି ଭୁବନେଶ୍ବର ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଥିଲେ ।