ଜମ୍ମୁ: ଶୀତଦିନେ ପ୍ରବଳ ତୁଷାରପାତ ଯୋଗୁଁ ନିୟନ୍ତ୍ରଣ ରେଖା (ଏଲଓସି)ରେ ଅନୁପ୍ରବେଶ ପଥ ବନ୍ଦ ପରେ ଆତଙ୍କବାଦୀମାନେ ଅନ୍ତର୍ଜାତୀୟ ସୀମା ଦେଇ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି। ଏପରି ସ୍ଥିତିରେ ପାକିସ୍ତାନ ଓ ଆତଙ୍କବାଦୀ ସଂଗଠନର ଷଡ଼ଯନ୍ତ୍ରକୁ ବିଫଳ କରିବା ପାଇଁ ସୀମା ସୁରକ୍ଷା ବଳ (ବିଏସଏଫ)ର ଦୁଇଟି ଅତିରିକ୍ତ ବାଟାଲିୟନକୁ ଜମ୍ମୁ ଡିଭିଜନରେ ନିୟୋଜିତ କରାଯାଇଛି।
କଠୁଆ ଓ ସାମ୍ବା ଜିଲ୍ଲାର ସୀମାରେ ପ୍ରାୟ ୨ ହଜାର ସୈନିକଙ୍କୁ ମୁତୟନ କରାଯାଇଛି ଯେଉଁଠାରେ ପାକିସ୍ତାନ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ପାଇଁ ଅଧିକ ଚେଷ୍ଟା କରୁଛି। କଠୁଆ ଏବଂ ପଞ୍ଜାବ ସୀମାବର୍ତ୍ତୀ ଜମ୍ମୁର ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇ ଏହି ଯବାନମାନଙ୍କୁ ସୀମାରେ ପୂର୍ବରୁ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କ ପଛରେ ଦ୍ୱିତୀୟ ଲାଇନରେ “ସେକେଣ୍ଡ ଲାଇନ ଅଫ ଡିଫେନ୍ସ” ଭାବେ ନିୟୋଜିତ କରାଯାଇଛି।
ଜମ୍ମୁର କଠୁଆ ଜିଲ୍ଲା ଠାରୁ ଅଖନୁର ପର୍ଯ୍ୟନ୍ତ ୧୯୨ କିଲୋମିଟର ଅନ୍ତର୍ଜାତୀୟ ସୀମା ଅବସ୍ଥିତ ଥିବା ବେଳେ ଶୀତଋତୁରେ ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ାଇବା ପାଇଁ ପାକିସ୍ତାନର ଷଡ଼ଯନ୍ତ୍ରକୁ ଦୃଷ୍ଟିରେ ରଖି ଗତ ମାସରେ ଜମ୍ମୁରେ ସୀମା ସୁରକ୍ଷା ବାହିନୀ ଏହି ଅଞ୍ଚଳର ନୂତନ ସୁରକ୍ଷା ଅଡିଟ୍ କରିଥିଲା । ଏହାପରେ ଆତଙ୍କବାଦର ଆହ୍ୱାନର ମୁକାବିଲା କରିବା ପାଇଁ ବାଟାଲିୟନର ଯବାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦେବାପରେ ଗୃହ ମନ୍ତ୍ରଣାଳୟ ଜମ୍ମୁ ପଠାଇବା ପ୍ରକ୍ରିୟା ଆରମ୍ଭ କରିଥିଲା।