ୱାଶିଂଟନ: ଆମେରିକାରେ ବିଦାୟୀ ରାଷ୍ଟ୍ରପତି ନିଜ ପଦ ଛାଡିବା ପୂର୍ବରୁ ବାଇଡେନ ନିଜ କ୍ଷମତାର ଅପବ୍ୟବହାର କରି ଏକ ବଡ ପଦକ୍ଷେପ ନେଇଛନ୍ତି। ରବିବାର ଜୋ ବାଇଡେନ୍ ତାଙ୍କ ପୁଅ ହଣ୍ଟରଙ୍କୁ କ୍ଷମା କରିବା ସହ ସମ୍ଭାବ୍ୟ ଜେଲ୍ ଦଣ୍ଡାଦେଶରୁ ମୁକ୍ତି ଦେଇଥିବା ଜଣାପଡିଛି।
ଏହି ପରିପ୍ରେକ୍ଷୀରେ ବାଇଡେନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ମୁଁ ମୋ ପୁଅ ହଣ୍ଟରଙ୍କ ସବୁ ଅପରାଧ କ୍ଷମା କରୁଛି । ଯେହେତୁ ମୁଁ ରାଷ୍ଟ୍ରପତି ପଦ ଗ୍ରହଣ କରିଛି, ମୁଁ କହିଥିଲେ ଯେ ମୁଁ ନ୍ୟାୟ ବିଭାଗର ନିଷ୍ପତ୍ତିରେ ହସ୍ତକ୍ଷେପ କରିବି ନାହିଁ । ମୁଁ ଏହି ପ୍ରତିଶ୍ରୁତି ପାଳନ କରିଛି ମଧ୍ୟ। କିନ୍ତୁ ମୁଁ ଦେଖିଲି ମୋ ପୁଅକୁ ଟାର୍ଗେଟ କରାଯାଇ ଅନ୍ୟାୟ ଭାବରେ କୋର୍ଟ ଚାଲାଣ କରାଯାଉଛି । କାରଣ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା । ଯେ ଯେକୌଣସି ବୁଦ୍ଧିମାନ ବ୍ୟକ୍ତି ହଣ୍ଟର୍ ଙ୍କ ମାମଲା ଅନୁସରଣ କଲେ ବୁଝିପାରିବେ ଯେ ତାଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଇଛି । ଏହାସହିତ ବାଇଡେନ ନିଜେ ଏହି ନିଷ୍ପତ୍ତି ନେଇଥିବା କହି ଆମେରିକୀୟମାନେ ବୁଝିପାରିବେ କାହିଁକି ଜଣେ ପିତା ଏବଂ ରାଷ୍ଟ୍ରପତି ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିଲେ ।
ଅପରପକ୍ଷରେ ବାଇଡେନଙ୍କ ଏହି ନିଷ୍ପତ୍ତିକୁ ନେଇ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମାଲୋଚନା କରିଛନ୍ତି । ସେ ସିଧାସଳଖ ବାଇଡେନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଏହା କ୍ଷମତାର ଅପବ୍ୟବହାର । ଏହାସହ ସେ ପଚାରିଛନ୍ତି ଯେ ବାଇଡେନ ତାଙ୍କ ପୁଅ ହଣ୍ଟରକୁ କ୍ଷମା କରିବା କେତେ ଯୁକ୍ତିଯୁକ୍ତ ? କାରଣ ତାଙ୍କ ଅପରାଧ ଜଣେ ଜେ-୬ କଏଦୀଙ୍କ ସହ ସମକକ୍ଷ, ଯେଉଁମାନେ ବର୍ଷ ବର୍ଷ ଧରି ଜେଲରେ ଅଛନ୍ତି । ଏହାସହିତ ଏପରି ପଦକ୍ଷେପ ନ୍ୟାୟପାଳିକାର ସିଧାସଳଖ ହତ୍ୟା ବୋଲି କହିଥିଲେ ।
ବେଆଇନ୍ ବନ୍ଧୁକ ଓ ଆୟକର ଛାଡ଼ ଅଭିଯୋଗରେ ହଣ୍ଟରଙ୍କୁ ଚଳିତ ବର୍ଷ ପ୍ରାରମ୍ଭରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ବନ୍ଧୁକ କିଣିବା ପାଇଁ ୨୦୧୮ ଜୁନ୍ରେ ଡେଲାୱେର ଫେଡେରାଲ କୋର୍ଟରେ ହଣ୍ଟର ଦୋଷୀ ସାବ୍ୟସ୍ତ ହୋଇଥିଲେ।