ଭୁବନେଶ୍ବର: ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ଚମ୍ପିଆନସିପର ବେଙ୍ଗାଲୁରୁକୁ ହରାଇ ପଏଣ୍ଟ୍ ଟେବୁଲରେ ତୃତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି ଓଡ଼ିଶା ଏଫ୍ସି। କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଏଫ୍ସି ବେଙ୍ଗାଲୁରୁ ଏଫ୍ସିକୁ ୪-୨ ଗୋଲ୍ରେ ପରାସ୍ତ କରି ଏହି ସଫଳତା ହାସଲ କରିଛି।
ମ୍ୟାଚ୍ର ପ୍ରଥମ ଦଶ ମିନିଟ୍ରେ ଇସାକ୍ ଭାନଲାଲରୁ ଆତ୍ଫେଲାଙ୍କ ପାସ୍କୁ ଜେରି ମାୱିମିଙ୍ଗଥାଙ୍ଗା ଗୋଲ୍ରେ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହାପରେ ୨୭ତମ ମିନିଟ୍ରେ ଓଡ଼ିଶାକୁ ମିଳିଥିବା ଏକ କର୍ଣ୍ଣରକୁ ଅହମଦ ଜାହୋଉ ଚତୁରତାର ସହିତ ବେଙ୍ଗାଲୁରୁ ଏଫ୍ସି ଗୋଲ୍ ପୋଷ୍ଟ୍ ନିକଟକୁ ପଠାଇଥିଲେ। ୬ ୟାର୍ଡ ବକ୍ସରୁ ଫଲ୍ ହେଡ୍ ଜରିଆରେ ମୌର୍ତଦା ଗୋଲ୍ କରି ଦଳକୁ ୨-୦ରେ ଆଗୁଆ କରିଥିଲେ।
ଏହାପରେ ପ୍ରଥମାର୍ଦ୍ଧର ଇନ୍ଜୁରି ସମୟରେ ଜେରି ଲାଲରିଞ୍ଜୁଆଲ୍ଙ୍କ ସହୟତାରେ ଡିଓଗୋ ମୌରସିଓ ଗୋଲ୍ ହାସଲ କରିବାରୁ ଘରୋଇ ଦଳ ୩-୦ରେ ଅଗ୍ରଣୀ ରହିଥିଲା। ସେହିପରି ଦ୍ବିତୀୟାର୍ଦ୍ଧରେ ବେଙ୍ଗାଲୁରୁ ଏଫ୍ସି ଅଧିନାୟକ ସୁନିଲ ଛେତ୍ରୀ ଗୋଟିଏ ଗୋଲ୍ ଶୁଝିଥିଲା ବେଳେ ଏହାର ୮ ମିନିଟ୍ ପରେ ଓଡ଼ିଶାକୁ ମିଳିଥିବା ଫ୍ରି କିକ୍କୁ ମୌରିସିଓ ଗୋଲ୍ରେ ପରିଣତ କରି ଦଳକୁ ୪-୧ରେ ଆଗୁଆ ରଖିଥିଲେ। ଅପରପକ୍ଷରେ ୮୮ତମ ମିନିଟ୍ରେ ବେଙ୍ଗାଲୁରୁର ରୋସନ ସିଂହଙ୍କ ସହାୟତାରେ ଇଗର ମେନ୍ଦେଜ ଗୋଲ୍ ଦେଇ ପରାଜୟ ବ୍ୟବଧାନକୁ ସାମାନ୍ୟ ହ୍ରାସ କରିଥିଲେ।