ଅଲେପ୍ପୋ: ଦିନକୁ ଦିନ ମଧ୍ୟପ୍ରାଚ୍ୟରେ ସ୍ଥିତି ସଂଗୀନ ହେବାରେ ଲାଗିଥିବା ବେଳେ ଏହାରିମଧ୍ୟରେ ପୁଣି ଅଶାନ୍ତ ହୋଇଉଠିଛି ସିରିଆ । ମାତ୍ର ୪୮ ଘଣ୍ଟା ମଧ୍ୟରେ ଦେଶର ଦ୍ୱିତୀୟ ବୃହତ୍ତମ ସହର ଅଲେପ୍ପୋର ଅଧିକାଂଶ ଭାଗରେ ସିରିଆ ସେନାକୁ ହଟାଇ ଆଧିପତ୍ୟ ବିସ୍ତାର କରିଛନ୍ତି ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ, ଯାହା ରାଷ୍ଟ୍ରପତି ବଶର୍ ଅଲ-ଅସଦଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବିଦ୍ରୋହୀ ଗୋଷ୍ଠୀ ବିମାନବନ୍ଦର ସମେତ ସମସ୍ତ ମାର୍ଗ ଏବଂ ଜରୁରୀ ସୁବିଧାକୁ ନିଜ ନିୟନ୍ତ୍ରଣକୁ ନେଇଥିବା ବେଳେ ଏହି ସଂଘର୍ଷରେ ଏ ପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଜଣାପଡିଛି ।
ଅପରପକ୍ଷରେ ବ୍ରିଟେନସ୍ଥିତ ସିରିୟାନ ଅବଜର୍ଭେଟରୀ ଫର୍ ହ୍ୟୁମାନ ରାଇଟ୍ସ ଅନୁସାରେ, ଏ ପର୍ଯ୍ୟନ୍ତ ୩୭୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୦ ଜଣ ସାଧାରଣ ନାଗରିକ ଅଛନ୍ତି। ସେହିପରି ସିରିଆର ସରକାରୀ ଚ୍ୟାନେଲ ବିନା ପ୍ରମାଣରେ ଦାବି କରିଛି ଯେ ଗତ ୩ ଦିନ ମଧ୍ୟରେ ସେନା ପ୍ରାୟ ୧୦୦୦ ବିଦ୍ରୋହୀଙ୍କୁ ନିପାତ କରିଛି ।
ପ୍ରକାଶଥାଉ କି, ବିଦ୍ରୋହୀ ଗୋଷ୍ଠୀ ‘ହୟାତ୍ ତହରୀର୍ ଅଲ-ଶାମ (ଏଚଟିଏସ)’ ଏବଂ ଏହାର ସହଯୋଗୀମାନେ ନଭେମ୍ବର ୨୭ରେ ଅଲେପ୍ପୋ ସହର ଉପରେ ହଠାତ୍ ଆକ୍ରମଣ କରିଥିଲେ । ଏମାନଙ୍କୁ ଅଲକାଏଦାର ସମର୍ଥନ ମିଳିଛି । କାରଣ ୨୦୧୬ରେ ଗୃହଯୁଦ୍ଧ ସମୟରେ ସିରିଆ ସେନା ବିଦ୍ରୋହୀମାନଙ୍କୁ ତଡ଼ି ଦେଇଥିଲା । ତେବେ ୮ ବର୍ଷ ପରେ ପୁଣିଥରେ ବିଦ୍ରୋହୀ ଗୋଷ୍ଠୀ ଅଲେପ୍ପୋକୁ କବଜା କରିଛନ୍ତି । ଶନିବାର ଠାରୁ ବିଦ୍ରୋହୀମାନେ ଏହି ଆକ୍ରମଣ ଆରମ୍ଭ କରିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।