ଶ୍ରୀନଗର: ଜମ୍ମୁ କାଶ୍ମୀରକୁ କେନ୍ଦ୍ର ସରକାର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ନକଲେ ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା କହିଛନ୍ତି । ସେ କହିଛନ୍ତି, ଏହି କେନ୍ଦ୍ରଶାସିତ ଅଂଚଳକୁ ରାଜ୍ୟ ପାହ୍ୟା ପ୍ରଦାନ କରିବା ତାଙ୍କ ପାଇଁ ଅଗ୍ରାଧିକାର ପ୍ରସଙ୍ଗ ହୋଇଛି । ତାହା କରାନଗଲେ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଅପିଲ କରିବେ । ଏକ ଇଲେକଟ୍ରୋନିକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଓମାର କହିଛନ୍ତି, ୨୦୧୯ ତୁଳନାରେ ପ୍ରାଥମିକ ଅବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କର କ୍ଷମତା ଏଠାରେ ବହୁମାତ୍ରାରେ ସୀମିତ ରହିବ । କିନ୍ତୁ ଏହି ପରିସ୍ଥିତି ସାମୟିକ ହେବ ବୋଲି ତାଙ୍କର ବିଶ୍ୱାସ । କାରଣ ରାଜ୍ୟ ପାହ୍ୟା ଏବଂ ପୂର୍ଣ୍ଣ ରାଜ୍ୟ ପାହ୍ୟା ଜମ୍ମୁ କାଶ୍ମୀରକୁ ପ୍ରଦାନ କରିବାକୁ ହେବ । କେନ୍ଦ୍ର ସରକାର ତାଙ୍କୁ ଆଡୁ ଏହା ନକଲେ ସେ ସୁପ୍ରିମକୋର୍ଟ ଯିବେ ।
ଓମାର କହିଥିଲେ ଯେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନିକଟରୁ ସଂସଦ କକ୍ଷରେ ଏଥିନେଇ ପ୍ରତିଶୃତି ଦିଆଯାଇଛି । ଉଭୟ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ଜମ୍ମୁ କାଶ୍ମୀରକୁ ରାଜ୍ୟ ପାହ୍ୟା ଫେରାଇ ଦିଆଯିବ । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ସୁପି୍ରମ କୋର୍ଟଙ୍କ ନିକଟରୁ ମଧ୍ୟ ପ୍ରତିଶୃତି ମିଳିଛି । ତେଣୁ ତାଙ୍କ ମତରେ ନିର୍ବାଚନ ହେବାକୁ ଯାଉଥିବା ବିଧାନସଭା କେବଳ ନାମକୁ ମାତ୍ର ବିଧାନସଭା ହେବ, ଏହା ସେମାନେ ଚାହୁଁଥିବା ବିଧାନସଭା ଭଳି ହେବନପାହିଁ । ଏହି ଅବସରରେ ସେ କହିଥିଲେ, ୩୭୦ ଧାରା ପୁନଃବାହାଲ କରିବା ପାଇଁ ହୁଏତ ଦୀର୍ଘ ସଂଗ୍ରାମ କରିବାକୁ ପଡିପାରେ, କିନ୍ତୁ ଜମ୍ମୁ କାଶ୍ମୀର ବିଧାନସଭାରେ ଏକ ପ୍ରସ୍ତାବ ଅଣାଯାଇ ଏହାକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ମାନ୍ୟତା ଦିଆଯାଇପାରିବ । ସୂଚନାଯୋଗ୍ୟ, ଦଶନ୍ଧି ମଧ୍ୟରେ ଜମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ୩୭୦ ଧାରା ଉଚ୍ଛେଦ ପରବର୍ତୀ ସମୟରେ ମଧ୍ୟ ଏହା ପ୍ରଥମ ହେବ ।
ବିଧାନସଭା ନିର୍ବାଚନରେ କଂଗ୍ରେସ ସହିତ ନ୍ୟାସନାଲ କନଫରେନ୍ସର ମେଣ୍ଟ ସମ୍ପର୍କରେ ପ୍ରକାଶ କରି ଓମାର ଅବଦୁଲ୍ଲା କହିଥିଲେ, ଆମ ପାଇଁ ଏହା ବସ୍ତୁତଃ ଏକ ଦୃଷ୍ଟିଭଙ୍ଗୀ । ଆମର କିଛି ବିରୋଧୀ ପକ୍ଷ ମନଗଢା କାହାଣୀ ପ୍ରଚାର କରିବାକୁ ଲାଗିଲେ ଯେ ବିଜେପି ସହିତ ଆମର ଭିତିରି ସମ୍ପର୍କ ରହିଛି । ସେଥିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଏଭଳି ମେଣ୍ଟ କରିବା ଗୁରୁତ୍ୱପୂର୍ଣ୍ଣ ଥିଲା ।