କୋଲକାତା: ଦିନକୁ ଦିନ ବାଂଲାଦେଶରେ ହିନ୍ଦୁବିରୋଧୀ ହିଂସା ବୃଦ୍ଧି ପାଉଥିବା ବେଳେ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଗିରଫଦାରୀକୁ ନେଇ ଭାରତ ଓ ବାଂଲାଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ଏହାମଧ୍ୟରେ ଚିନ୍ମୟଙ୍କ ମାମଲା ଲଢ଼ୁଥିବା ଆଇନଜୀବୀ ରମଣ ରାୟଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଇସ୍କନ କୋଲକାତା ମୁଖପାତ୍ର ରାଧାରମଣ ଦାସ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଛନ୍ତି। ଆଇନଜୀବୀ ରମଣ ରାୟଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରି ସେ ଲେଖିଛନ୍ତି ଯେ, ତାଙ୍କର ଏକମାତ୍ର ଭୁଲ ଥିଲା ଯେ ସେ ଚିନ୍ମୟ କୃଷ୍ଣ ପ୍ରଭୁଙ୍କୁ କୋର୍ଟରେ ରକ୍ଷା କରିଥିଲେ। ସେଥିପାଇଁ ଇସଲାମିକ ମୌଳବାଦୀମାନେ ତାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ତାଙ୍କୁ ଗୁରୁତର ଆକ୍ରମଣ କରିଥିଲେ । ଏବେ ସେ ଆଇସିୟୁରେ ସେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଏପରି ଘଟଣା ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ଅଧିକାର ପାଇଁ ବିକ୍ଷୋଭ କରୁଥିବା ଲୋକଙ୍କ ପ୍ରତି ବଢୁଥିବା ବିପଦକୁ ଦର୍ଶାଉଛି। ଅପରପକ୍ଷରେ ବାଂଲାଦେଶର ବୈଦେଶିକ ପରାମର୍ଶଦାତା ମହମ୍ମଦ ତୌହିଦ ହୁସେନ୍ କହିଛନ୍ତି ଯେ, ବର୍ତ୍ତମାନର ସରକାର ହିନ୍ଦୁ ଓ ମୁସଲମାନଙ୍କୁ ସମାନ ଭାବରେ ଦେଖନ୍ତି। ତେଣୁ ସେ କୌଣସି ପ୍ରକାର ସାମ୍ପ୍ରଦାୟିକ କାର୍ଯ୍ୟକଳାପକୁ ବରଦାସ୍ତ କରିବେ ନାହିଁ। ସରକାର ଓ ଆଇନ ନିଜ ନିଜ ଉପାୟରେ କାମ କରିବ। ଯଦି କେହି ଗଣ୍ଡଗୋଳ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ନଭେମ୍ବର ୨୫ ତାରିଖରେ ଚିନ୍ମୟ ଦାସଙ୍କୁ ବାଂଲାଦେଶରେ ଗିରଫ କରାଯାଇଥିବା ବେଳେ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରି ତାଙ୍କୁ ଜେଲ୍ ପଠାଇ ଦେଇଥିଲେ।