ଭୁବନେଶ୍ବର: ସୟଦ ମୁସ୍ତାକ ଅଲୀ ଟ୍ରଫିରେ ହ୍ୟାଟ୍ରିକ୍ ପରାଜୟ ବରଣ କରିବା ପରେ ପ୍ରଥମଥର ପାଇଁ ବିଜୟର ସ୍ୱାଦ ଚାଖିଛି ଓଡ଼ିଶା। ଆସାମ ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍ରେ ଆସାମକୁ ୬୩ ରନ୍ରେ ଓଡ଼ିଶା ହରାଇ ବିଜୟ ହାସଲ କରିଛି।
ପିଚ ଓଦା ଥିବାରୁ ଏହି ମ୍ୟାଚ୍ ୯ ଓଭର ବିଶିଷ୍ଟ ହୋଇଥିଲା। ଆସାମ ଟସ୍ ଜିତି ଫିଲଡିଂ କରିବାପାଇଁ ନିଷ୍ପତ୍ତି ନେଇଥିଲା । ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ବିନିମୟରେ ୧୨୦ ରନ୍ ହାସଲ କରିଥିଲା। ୩୭ ରନ୍ ଭିତରେ ୩ ୱିକେଟ୍ ହରାଇଥିବା ଦଳ ସ୍ବସ୍ତିକ ସାମଲ ଓ ସନ୍ଦୀପ ପଟ୍ଟନାୟକ ଚତୁର୍ଥ ୱିକେଟ୍ରେ ୧୫ ବଲ୍ରୁ ୫୪ ରନ୍ର ଭାଗୀଦାରି କରି ବଡ଼ ସ୍କୋର ଆଡ଼କୁ ନେଇଥିଲେ। ତେବେ ସପ୍ତମ ଓଭରର ଶେଷ ବଲ୍ରେ ସନ୍ଦୀପ ୩୧ ରନ୍ (୮ବଲ୍, ୩ଚୌକା, ୩ଛକା) ରେ ଆଉଟ୍ ହୋଇଥିବା ବେଳେ ସ୍ବସ୍ତିକ ଆକ୍ରମଣ ଜାରି ରଖିଥିଲେ। ଶେଷ ଓଭର ବେଳକୁ ସ୍ବସ୍ତିକ ୬୯ ରନ୍ (୨୬ ବଲ୍, ୭ଚୌକା, ୫ଛକା) ହାସଲ କରି ରନ୍ ଆଉଟ୍ ହୋଇଯାଇଥିଲେ। ଅପରପକ୍ଷରେ ଆସାମ ୮.୧ ଓଭରରେ ୫୭ ରନ ହାସଲ କରିଥିଲା । ତେବେ ଓଡ଼ିଶା ଗୁରୁବାର ଚଣ୍ଡିଗଡ଼ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିବ।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ୯ ଓଭରରେ ୧୨୦/୭ (ସ୍ବସ୍ତିକ ସାମଲ-୬୯, ସନ୍ଦୀପ ପଟ୍ଟନାୟକ-୩୧, ଅଭିନବ ଚୌଧୁରୀ-୨/୧୨, ରୋଶନ ଆଲମ-୨/୩୪)। ଆସାମ ୮.୧ ଓଭରରେ ୫୭/୧୦ (ସାହିଲ ଜୈନ-୧୮, ନିପନ ଡେକା-୧୨, ଗୋବିନ୍ଦ ପୋଦ୍ଦାର-୨/୧, ରାଜେଶ ମହାନ୍ତି-୨/୧୨, ପ୍ରଦୀପ ପ୍ରଧାନ-୨/୧୨, ଯାମଳା ଭଞ୍ଜନ ମହାପାତ୍ର-୨/୧୬)।