ପ୍ୟାରିସ: ମାତ୍ର ୩ ମାସରେ ଚାଲିଗଲା ପ୍ରଧାନମନ୍ତ୍ରୀ ପଦବୀ। ୬୨ ବର୍ଷରେ ପ୍ରଥମ ଥର ପାଇଁ ଜାତୀୟ ସଭାର ନିମ୍ନ ଗୃହରେ ସରକାରଙ୍କୁ ହଟାଇବା ପାଇଁ ଅନାସ୍ଥା ଭୋଟ୍କୁ ମିଳିଲା ଅନୁମୋଦନ। ଅନାସ୍ଥା ଭୋଟରେ ହାରି ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମାଇକେଲ ବାର୍ଣ୍ଣିୟର୍ ପ୍ରଧାନମନ୍ତ୍ରୀ ପଦ ହରାଇଛନ୍ତି।
ବର୍ଣ୍ଣିୟର୍ ନେତୃତ୍ୱାଧୀନ ସରକାର ବିରୋଧରେ ବାମପନ୍ଥୀ ନେତା ମାନେ ଆନାସ୍ଥା ପ୍ରସ୍ତାବ ଆଣିଥିଲେ । ମେରିନ୍ ଲେ ପେନ୍ଙ୍କ ନେତୃତ୍ୱରେ ରାଇଟ୍ ଓ୍ୱିଙ୍ଗ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିବା ବେଳେ ଗୁରୁବାର ଫ୍ରାନ୍ସ ସଂସଦରେ ଅନାସ୍ଥା ଭୋଟ ପଡିଥିଲା। ୫୭୭ ସଦସ୍ୟ ବିଶିଷ୍ଟ ଗୃହରେ ବିଜୟ ହାସଲ କରିବା ପାଇଁ
ବାର୍ଣ୍ଣିୟର୍ଙ୍କୁ ୨୮୮ ଭୋଟ ଆବଶ୍ୟକ ଥିଲା। କିନ୍ତୁ ୩୩୧ ଜଣ ତାଙ୍କ ବିରୋଧରେ ଭୋଟ ଦେବା ସହିତ ଅନାସ୍ଥାକୁ ସମର୍ଥନ କରିଥିଲେ। ଏହି ଅନାସ୍ଥା ପ୍ରସ୍ତାବ ସପକ୍ଷରେ ବିରୋଧୀ ବାମପନ୍ଥୀ ଦଳଗୁଡ଼ିକ ସହିତ ଶାସକ ଦଳର ସଦସ୍ୟମାନେ ମଧ୍ୟ ଭୋଟ ଦେଇଥିଲେ। ଫଳରେ ବାର୍ଣ୍ଣିୟର୍ଙ୍କୁ ପ୍ରଧାନମନ୍ତ୍ରୀ ପଦ ହରାଇବାକୁ ପଡ଼ିଛି। ତେଣୁ ବର୍ତ୍ତମାନସେ ଫ୍ରାନ୍ସ ରାଷ୍ଟପ୍ରତି ଇମାନୁଏଲ୍ ମାକ୍ରୋନଙ୍କ ନିକଟରେ ନିଜ ଇସ୍ତଫା ଦାଖଲ କରିବା ପାଇଁ ବାଚସ୍ପତି ୟେଲ ବ୍ରାଉନ୍ ପିଭେଟ୍ ସ୍ପଷ୍ଟ କରିଛନ୍ତି।
ଅପରପକ୍ଷରେ, ସାମ୍ବିଧାନିକ ନିୟମ ଅନୁଯାୟୀ ଆସନ୍ତା ୨୦୨୫ ଜୁଲାଇ ମାସ ପୂର୍ବରୁ ଫ୍ରାନ୍ସରେ ସାଧାରଣ ନିର୍ବାଚନ ହୋଇପାରିବ ନାହିଁ। ତେଣୁ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ପଡ଼ିବ।
ପ୍ରକାଶଥାଉ କି, ୧୯୬୨ ମସିହାରେ ଚାର୍ଲ୍ସ ଡି ଗଲ୍ ରାଷ୍ଟ୍ରପତି ଥିବାବେଳେ ଜର୍ଜ ପମ୍ପିଡୁ ସରକାରଙ୍କ ପରାଜୟ ପରେ ବାର୍ଣ୍ଣିୟର୍ ସରକାରଙ୍କ ବିରୋଧରେ ଏହା ପ୍ରଥମ ସଫଳ ଅନାସ୍ଥା ପ୍ରସ୍ତାବ। ତେବେ ୧୯୫୮ ମସିହାରେ ପଞ୍ଚମ ଗଣତନ୍ତ୍ର ଆରମ୍ଭ ହେବା ପରଠାରୁ ଫ୍ରାନ୍ସରେ ବାର୍ଣ୍ଣିୟର୍ ସରକାର ସବୁଠୁ କମ୍ ଦିନର ଶାସନରେ ଥିଲା।