ଗତ କିଛି ମାସ ହେବ ଭାରତୀୟ ପାଇକାରୀ ମୁଦ୍ରାସ୍ଫୀତିରେ ପରିବର୍ତ୍ତନ ଦେଖାଦେଇଥିବା ବେଳେ କ୍ରମାଗତ ଦ୍ଵିତୀୟ ଥର ପାଇଁ ପାଇକାରୀ ମୁଦ୍ରାସ୍ଫୀତିର ହାର ହ୍ରାସ ପାଇଛି। ମଙ୍ଗଳବାର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ବିଶେଷ କରି ବିଦ୍ୟୁତ୍, ଇନ୍ଧନ, ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ଏବଂ ପରିବା ମୂଲ୍ୟ ହ୍ରାସ କାରଣରୁ ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଏହା ଗତ ମାସ ତୁଳନାରେ କମ ହୋଇଥିବା ସୂଚନା ମିଳିଛି।
ତଥ୍ୟ ଅନୁଯାୟୀ ଜୁଲାଇରେ ପାଇକରୀ ମୁଦ୍ରାସ୍ଫୀତି ଦର ୨% ବୃଦ୍ଧି ପାଇଥିବାବେଳେ ଅଗଷ୍ଟରେ ଏହା ମାତ୍ର ୧.୩% ବୃଦ୍ଧି ପାଇଛି। ଗତବର୍ଷ ଅଗଷ୍ଟରେ ପାଇକାରୀ ମୁଦ୍ରାସ୍ଫୀତି -୦.୫% ସ୍ତରରେ ଥିବା ବେଳେ ମନ୍ତ୍ରଣାଳୟରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୪ ଅଗଷ୍ଟରେ ମୁଖ୍ୟତଃ ଖାଦ୍ୟ ପଦାର୍ଥ, ପ୍ରକ୍ରିୟାକୃତ ଖାଦ୍ୟ, କପଡ଼ା ଉତ୍ପାଦନ ଓ ଯନ୍ତ୍ରପାତି ନିର୍ମାଣ ମୂଲ୍ୟ ବୃଦ୍ଧିପାଇଥିବାରୁ ମୁଦ୍ରାସ୍ଫୀତିରେ ପରିବର୍ତ୍ତନ ଘଟିଛି। ପାଇକାରୀ ଖାଦ୍ୟ ମୁଦ୍ରାସ୍ଫୀତି ଜୁଲାଇରେ ୩.୬% ଥିବାବେଳେ ଅଗଷ୍ଟରେ ୩.୩% ରହିଛି, ଯାହା ୧୦ ମାସର ସର୍ବନିମ୍ନ ସ୍ତର। ସେହିପରି ଆଳୁ, ପିଆଜ, ଫଳ ଓ ଡାଲିର ମୂଲ୍ୟ ଅଧିକ ରହିଥିବା ଦେଖିବାକୁ ମିଳିଛି। ଆଳୁ ମୁଦ୍ରାସ୍ଫୀତି ଜୁଲାଇରେ ୭୬.୨% ଥିବାବେଳେ ଅଗଷ୍ଟରେ ଏହା ୭୮%କୁ ବଢ଼ିଛି। ଜୁଲାଇରେ ପିଆଜ ମୂଲ୍ୟ ବାର୍ଷିକ ହାରରେ ୮୮.୮% ଥିବାବେଳେ ଅଗଷ୍ଟରେ ଏହା ୬୫.୬% ଅଛି ।
ସର୍ବଶେଷ ତଥ୍ୟ ଅନୁଯାୟୀ, ପରିବା ଓ କେତେକ ଖାଦ୍ୟ ମୂଲ୍ୟ ଅଧିକ ଥିବାରୁ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ସାମାନ୍ୟ ବୃଦ୍ଧି ପାଇଥିଲେ ସୁଦ୍ଧା କ୍ରମାଗତ ଦ୍ବିତୀୟ ମାସରେ ରିଜର୍ଭ ବ୍ୟାଙ୍କର ଲକ୍ଷ୍ୟସ୍ତର ୪%ରୁ କମ୍ ରହିଥିଲା।