ଶ୍ରୀନଗର: ଦିନକୁ ଦିନ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ପାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ସୋମବାର ଅଖନୋର ସେକ୍ଟରରେ ଆତଙ୍କବାଦୀ ମାନେ ପୁଣି ଆକ୍ରମଣ କରିଥିବା ସୂଚନା ମିଳିଛି। ଆତଙ୍କବାଦୀ ମାନେ ସେନାର ଏକ ଆମ୍ବୁଲାନ୍ସକୁ ଟାର୍ଗେଟ କରି ଗୁଳିମାଡ଼ କରିଥିବା ଜଣା ପଡିଛି। ତେବେ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇ ନଥିବା ବେଳେ ଅଖନୋରଠାରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି।
ସୂଚନାଯୋଗ୍ୟ ଯେ, ସୋମବାର ସକାଳ ୭ଟା ୨୫ ମିନିଟରେ ଜମ୍ମୁ-କଶ୍ମୀରର ଅଖନୋର ସେକ୍ଟରସ୍ଥିତ ଯୋଗୱାନର ଶିବସାନ ମନ୍ଦିର ନିକଟବର୍ତ୍ତୀ ବଟ୍ଟାଳ ଅଞ୍ଚଳରେ ଏହି ଅଞ୍ଚଳରେ ଏହି ଆକ୍ରମଣ ଘଟାଇଥିଲେ ଆତଙ୍କବାଦୀମାନେ । ସେନାର ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଗାଡ଼ି ଉପରକୁ ୩ରୁ ୪ ଜଣ ଆତଙ୍କବାଦୀ ୧୫ରୁ ୨୦ ରାଉଣ୍ଡ ଗୁଳି ଚଳାଇଥିଲେ। ତେବେ ଏଥିରେ କୌଣସି ପ୍ରାଣହାନୀ କିମ୍ବା କ୍ଷୟକ୍ଷତିର ସୂଚନା ନାହିଁ । ଆତଙ୍କବାଦୀମାନଙ୍କ ଏହି ଗୁଳି ଚାଳନା ପରେ ସୁରକ୍ଷା ବାହିନୀ ତୁରନ୍ତ ସମ୍ପୃକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।
ପ୍ରକାଶଥାଉ କି, ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରୁଥିବା ସତ୍ତ୍ବେ ଗୁଳିକାଣ୍ଡ ଘଟାଉଛନ୍ତି ଆତଙ୍କବାଦୀ। ଗତ ଏକ ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ୨ ସୈନିକଙ୍କ ସମେତ ଅତି କମରେ ୧୨ ଜଣଙ୍କର ପ୍ରାଣହାନୀ ହୋଇ ସାରିଲାଣି।