ଇସଲାମାବାଦ: ଶନିବାର ପାକିସ୍ତାନର ଉତ୍ତର-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେସନରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ପ୍ରାୟ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ଆଗକୁ ଆହତ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ତେବେ ଘଟଣାସ୍ଥଳରେ ବୋମା ନିରୋଧକ ସ୍କ୍ବାଡ ଏବଂ ସ୍ଥାନୀୟ ପୋଲିସ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ଉତ୍ତର-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେସନରେ ବିସ୍ଫୋରଣ ଘଟିଛି। ସକାଳ ୯ଟା ସମୟରେ ଜାଫର ଏକ୍ସପ୍ରେସ ପେଶାୱର ଅଭିମୁଖେ ବାହାରିବାର ଥିବାବେଳେ ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଏ ସମ୍ପର୍କରେ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଟ୍ରେନ୍ ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ରେଳ ଷ୍ଟେସନର ବୁକିଂ ଅଫିସରେ ବିସ୍ଫୋରଣ ଘଟିଥିଲା। ତେବେ ଷ୍ଟେସନରେ ସ୍ୱାଭାବିକ ଭିଡ଼ କାରଣରୁ ବହୁ ସଂଖ୍ୟାରେ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି। ବିସ୍ଫୋରଣ ସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେହିପରି କ୍ୱେଟାର ସିଭିଲ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇ ଅତିରିକ୍ତ ଡାକ୍ତର ଏବଂ ସପୋର୍ଟ ଷ୍ଟାଫଙ୍କୁ ଡକାଯାଇଥିବା ସୂଚନା ମିଳିଛି। ଉଦ୍ଧାର ହୋଇଥିବା ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ମିଳିଛି। ଏହି ଆକ୍ରମଣ ପଛରେ ବାଲୁଚ ଲିବରେଶନ ଆର୍ମିର ହାତ ଥିବା ସୂଚନା ମିଳିଛି।
ପ୍ରକାଶଥାଉ କି, ଗତ କିଛି ଦିନରୁ ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ସମେତ ବିଚ୍ଛିନ୍ନତାବାଦୀ ବିଦ୍ରୋହ ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ତେବେ ଏହାକୁ କେନ୍ଦ୍ର କରି ସାମାଜିକ ସ୍ଥାନରେ ଦିନକୁ ଦିନ ବିସ୍ଫୋରଣ ଏବଂ ଆକ୍ରମଣ ବୃଦ୍ଧି ପାଉଛି।