ଖୈବର ପଖତୁନଖୱା: ପାକିସ୍ତାନର ଖୈବର ପଖତୁନଖୱା ପ୍ରଦେଶରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ଡାଉନ୍ କୁରମ୍ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ ଉପରେ ଆକ୍ରମଣ କରିବା ଫଳରେ ଅନ୍ୟୁନ ୫୦ ଜଣଙ୍କ ପ୍ରାଣହାନୀ ଘଟିବା ସହିତ ୨୦ରୁ ଉର୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ଡାଉନ୍ କୁରମର ଓଚୁଟ୍ କାଲି ଏବଂ ମନ୍ଦୁରୀ ନିକଟ ଦେଇ ଯାଉଥିବା ଯାତ୍ରୀବାହୀ ଯାନ ପାର ହେଉଥିଲାବେଳେ ସେଠାରେ ଜଗି ରହିଥିବା ଆତଙ୍କବାଦୀମାନେ ଅତର୍କିତ ଗୁଳି ବର୍ଷା କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଉକ୍ତ ଯାତ୍ରୀବାହୀ ଯାନଟି ପାରାଚିନାରରୁ ପେଶୱାର ଅଭିମୁଖେ ଯାଉଥିଲା। ଖୈବର ପଖତୁନଖୱା ପ୍ରଦେଶର ମୁଖ୍ୟ ସଚିବ ନଦୀମ ଆସଲାମ ଚୌଧରୀ ଆତଙ୍କୀ ହମଲାକୁ ସ୍ୱୀକାର କରିଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ବୋଲି ନଦୀମ କହିଛନ୍ତି।
ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଏହି ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଇସଲାମାବାଦରେ ଆଭ୍ୟନ୍ତରୀଣ ମନ୍ତ୍ରୀ ମୋହସିନ ନକଭି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।
ଅପରପକ୍ଷରେ, ପିପିପି ‘ଏକ୍ସ’ର ଏକ ପୋଷ୍ଟରେ ଲେଖିଛି ଯେ, ନିରୀହ ଯାତ୍ରୀଙ୍କୁ ଆକ୍ରମଣ କରିବା ଏକ ଅମାନବୀୟ କାମ। ଏହି ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଦଣ୍ଡ ଦିଆଯାଉ। ଏଥିସହ ଆହତମାନଙ୍କୁ ଠିକ୍ ସମୟରେ ଚିକିତ୍ସା ସହାୟତା ପ୍ରଦାନ କରାଯାଉ।