ଜର୍ଜଟାଉନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଗୁଏନାରେ ପହଞ୍ଚିଥିବା ବେଳେ ଗତ ୫୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଦେଶ ଗସ୍ତ। ଏହି ଅବସରରେ ସେ ରାଷ୍ଟ୍ରପତି ଅଲ୍ଲୀ ଏବଂ ତାଙ୍କ ଜେଜେମା’ଙ୍କ ସହ ମିଶି ଆମେ ବୃକ୍ଷରୋପଣ କରିଥିଲେ ଯାହା ‘ଏକ ଗଛ ମା କି ନାମ’ର ଏକ ଅଂଶ। ଏହାପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗୁରୁବାର ଗୁଏନାରେ ଏକ କାର୍ଯ୍ୟକ୍ରମରେ ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଗୁୟାନା ସମ୍ପ୍ରଦାୟ ଏବଂ କ୍ୟାରିବିଆନ୍ ରାଷ୍ଟ୍ରର ବିକାଶରେ ତାଙ୍କର ଅବଦାନକୁ ପ୍ରଶଂସା କରିଥିଲେ। ଏହି ଅବସରରେ ସେ ତିନୋଟି ଜିନିଷ ଭାରତ ଓ ଗୁଏନା ସମ୍ପର୍କକୁ ବାନ୍ଧି ରଖିଥିବା କହିଥିଲେ। ତାହା ହେଉଛି ସଂସ୍କୃତି, ଖାଦ୍ୟ ଓ କ୍ରିକେଟ୍।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁଏନାରେ ପହଞ୍ଚିବା ପରଠାରୁ ପାଇଥିବା ଅତିଥ୍ୟତା ଓ ସ୍ନେହ ପାଇଁ ଗଭୀର ଭାବେ ଅଭିଭୂତ ଥିବା କହିଥିଲେ। ଏହାସହିତ ଆସନ୍ତା ବର୍ଷ ଜାନୁଆରି ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ପ୍ରୟାଗରାଜରେ ଆୟୋଜନ ହେବାକୁ ଥିବା ମହାକୁମ୍ଭରେ ଯୋଗଦେବା ସହିତ ଅଯୋଧ୍ୟାସ୍ଥିତ ରାମମନ୍ଦିର ଦର୍ଶନ କରିବା ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ ମୋଦୀ।