ଭୁବନେଶ୍ବର: ଏସୀୟ ଯୁବ ଭାରୋତ୍ତୋଳନରେ ଓଡ଼ିଆ ଝିଅ ଜ୍ୟୋସ୍ନା ଶବର ଏସୀୟ ରେକର୍ଡ ସୃଷ୍ଟି କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଦେଇଛନ୍ତି । କତରର ଦୋହାଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ୪୦ କିଲୋଗ୍ରାମ ବାଳିକା ଯୁବ ବର୍ଗରେ ଖେଳିଥିବା ଜ୍ୟୋସ୍ନା ସ୍ନାଚ୍ରେ ୬୦ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୭୫ କିଲୋଗ୍ରାମ ସହ ମୋଟ ଉପରେ ୧୩୫ କିଲୋଗ୍ରାମ ଉତ୍ତୋଳନ କରି ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ସଫଳତା ଦ୍ୱାରା ଜ୍ୟୋସ୍ନା ଏସୀୟ ରେକର୍ଡ ସୃଷ୍ଟି କରିଛନ୍ତି। ସେହିପରି ଓଡ଼ିଆ ଝିଅ ପ୍ରୀତିସ୍ମିତା ଭୋଇ ୪୫ କିଲୋଗ୍ରାମ ଯୁବ ବାଳିକା ବର୍ଗରେ ଖେଳି ପଞ୍ଚମ ସ୍ଥାନରେ ରହିଥିଲେ ମଧ୍ୟ କ୍ଲିନ୍ ଆଣ୍ଡ୍ ଜର୍କ (୮୫ କିଲୋଗ୍ରାମ)ରେ ରୌପ୍ୟ ପଦକ ହାସଲ କରିଛନ୍ତି। ସ୍ନାଚ୍ରେ ସେ ୬୦ କିଲୋଗ୍ରାମ ଉତ୍ତୋଳନ କରିଥିଲେ। ଜ୍ୟୋସ୍ନା ଓ ପ୍ରୀତିସ୍ମିତାଙ୍କ ସଫଳତା ପାଇଁ ଓଡ଼ିଶା ଭାରୋତ୍ତୋଳନ ସଂଘ ସଭାପତି ଇଂ ଚିତ୍ତରଂଜନ ସ୍ବାଇଁ ଅଭିନନ୍ଦନ ଜଣାଇଛନ୍ତି।
ଅପରପକ୍ଷରେ ୪୫ କିଲୋଗ୍ରାମ ଯୁବ ବାଳିକା ବର୍ଗରେ ଭାରତର ପାୟଲ ସ୍ନାଚ୍ରେ ୭୦ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୮୫ କିଲୋଗ୍ରାମ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ପାୟଲ ମଧ୍ୟ ୪୫ କିଲୋଗ୍ରାମ କନିଷ୍ଠ ବର୍ଗରେ ସମାନ ଓଜନ (୭୦+୮୫) ଉତ୍ତୋଳନ କରି କାଂସ୍ୟ ଜିତିଥିଲେ।