ଫୁଲବାଣୀ: କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜାତୀୟ ଭେକ୍ଟର ବାହିତ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଓଡ଼ିଶା ର ମିଳିତ ସହଯୋଗରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘ ସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ଫୁଲବାଣୀ ପୋୖରପରିଷଦ ଅନ୍ତର୍ଗତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଯୋଗଦେଇଥିଲେ। ଏହି ଅବସରରେ ମ୍ୟାଲେରିଆ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ମଶାରୀର ବ୍ୟବହାର ତଥା ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ସଚେତନ ହେବା ଏବଂ ସରକାରଙ୍କ ମ୍ୟାଲେରିଆ ନିୟନ୍ତ୍ରଣ ଯୋଜନାକୁ କିପରି ସଫଳ କରାଯିବ ସେ ଦିଗରେ ଆଲୋକପାତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଯୋଗ ଦେଇ ମ୍ୟାଲେରିଆ ନହେବା ପାଇଁ ସରକାର ପ୍ରଦାନ କରୁଥିବା ମଶାରୀ ବ୍ୟବହାର ଦ୍ଵାରା ମ୍ୟାଲେରିଆ ଓ ଡେଙ୍ଗୁ ଭଳି ମାରାତ୍ମକ ରୋଗରୁ ମୁକ୍ତି ପାଇବା ନେଇ ଗୁରୁତ୍ଵାରୋପ କରିଥିଲେ। ବିଶେଷ ଭାବେ ଶିଶୁ ଏବଂ ଗର୍ଭବତୀ ମହିଳା ସଚେତନ ହୋଇ ମଶାରୀ ବ୍ୟବହାର କରିବା ଦରକାର ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଓ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାଢୀ ଯୋଗ ଦେଇ ମ୍ୟାଲେରିଆ ରୋଗ ମୁକ୍ତ ହେବା ପାଇଁ ଔଷଧ ବୋଳା ମଶାରୀକୁ ବ୍ୟବହାର ସମ୍ପର୍କରେ ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ଭାବେ ଡି.ପି.ଏମ ମନୋରଞ୍ଜନ ସାହୁ, ଏଡି.ପିଏଚ.ଓ ଡ଼ଃ ଅରବିନ୍ଦ ଦାସ, ଡିପି.ଏଚ.ଓ ଡ଼ଃ କଲ୍ୟାଣି ମିଶ୍ର, ଏଡି.ପି.ଏଚ.ସିଓ ଧର୍ମେନ୍ଦ୍ର ତାଣ୍ଡି, ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷା ପାୟେଲ ବେହେରା, କନିଷ୍ଠ ଯନ୍ତ୍ରୀ ଶଶ୍ମିତା ବେହେରା,ବ୍ଳକ ମଣ୍ଡଳ ଅଧିକାରୀ ନିବେଦିତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମକୁ ଉଦଘାଟନ କରାଯିବା ପରେ ଶତାଧିକ ପୁରୁଷ ମହିଳା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମଶାରୀ ବଣ୍ଟନ କରାଯାଇଥିଲା। ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ କର୍ମଚାରୀ କୁମୁଦ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ମ୍ୟାଲେରିଆ ରୋଗର ମୂଳୋତ୍ପାଟନ ପାଇଁ ତଥା ମଶାରୀ ବ୍ୟବହାର କରିବା ପାଇଁ ସର୍ବସାଧାରଣଙ୍କ ସଚେତନତା ନିମନ୍ତେ ମ୍ୟାଲେରିଆ ନିୟନ୍ତ୍ରଣ ରଥକୁ ସବୁଜ ପତାକା ଦେଖାଇ ବିଧାୟକ ଉମାଚରଣ ମଲ୍ଲିକ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ତଥା ବିଧାୟକ ପ୍ରତିନିଧି ରମେଶ ଚନ୍ଦ୍ର ମହାନ୍ତି ଉପସ୍ଥିତ ରହି ଥିବା ବେଳେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ଥିଲେ।