ଭଦୋଦରା: ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ହରମନପ୍ରୀତ କୌର ଦଶମ ଭାରତୀୟ ଅଧିନାୟକ ଭାବେ ଦିନିକିଆ ଅନ୍ତର୍ଜାତୀୟ ଇନିଂସ(ଓଡ଼ିଆଇ)ରେ ୧୦୦୦ ରନ ସ୍କୋର କରି ରେକର୍ଡ ସୃଷ୍ଟି କରିଛନ୍ତି। ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ମହିଳା ଭାବେ ସେ ଏହି ସଫଳତା ହାସଲ କରିଛନ୍ତି। ଏହି ସଫଳତା ପାଇଁ ତାଙ୍କ ନାମ ବର୍ତ୍ତମାନ ଏଲାଇଟ ଲିଷ୍ଟରେ ସ୍ଥାନ ପାଇଛି, ଯେଉଁଥିରେ ପୂର୍ବରୁ ଏମଏସ ଧୋନି ଏବଂ ବିରାଟ କୋହଲିଙ୍କ ଭଳି କିମ୍ବଦନ୍ତୀ ଭାରତୀୟ ଅଧିନାୟକଙ୍କ ନାମ ରହିଛି।
ଭଦୋଦରାରେ ନବନିର୍ମିତ କୋଟାମ୍ବି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଇଣ୍ଡିଆ ବନାମ ୱେଷ୍ଟଇଣ୍ଡିଜର ପ୍ରଥମ ଓଡ଼ିଆଇରେ ହରମନପ୍ରୀତ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ସେ ସମୁଦାୟ ୨୬ ଟି ମ୍ୟାଚରେ ମୋଟ ୧,୦୧୨ ରନ ସଂଗ୍ରହ କରି ଏହି ସଫଳତା ହାସଲ କରିଛନ୍ତି। ତାଙ୍କର ହାରାହାରି ରନରେଟ ୫୩.୨୬ ରହିଥିବା ବେଳେ ତାଙ୍କର ଏହି ରେକର୍ଡରେ ତିନିଟି ଶତକ ଏବଂ ପାଞ୍ଚଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ।
ପୂର୍ବରୁ ଏହି ଏଲାଇଟ ଲିଷ୍ଟରେ ଏମଏସ ଧୋନି- ୬୬୪୧ ରନ୍ (୨୦୦ ମ୍ୟାଚ୍), ବିରାଟ କୋହଲି – ୫୪୪୯ ରନ୍ (୯୫ ମ୍ୟାଚ୍), ମିତାଲି ରାଜ – ୫୩୧୯ ରନ୍ (୧୫୫ ମ୍ୟାଚ୍), ମହମ୍ମଦ ଅଜହରୁଦ୍ଦିନ – ୫୨୩୯ ରନ୍ (୧୭୪ ମ୍ୟାଚ୍), ସୌରଭ ଗାଙ୍ଗୁଲି – ୫୦୮୨ ରନ୍ (୧୪୬ ମ୍ୟାଚ୍), ରାହୁଲ ଦ୍ରାବିଡ – ୨୬୫୮ ରନ୍ (୭୯ ମ୍ୟାଚ୍), ସଚିନ୍ ତେନ୍ଦୁଲକର – ୨୪୫୪ ରନ୍ (୭୩ ମ୍ୟାଚ୍), ରୋହିତ ଶର୍ମା – ୨୨୦୪ ରନ୍ (୪୮ ମ୍ୟାଚ୍), କପିଲ ଦେବ – ୧୫୬୪ ରନ୍ (୭୪ ମ୍ୟାଚ୍) ଥିବା ବେଳେ ଏବେ ଏହି ତାଲିକାରେ ଆଉ ଏକ ନୂଆ ନାମ ହରମାନପ୍ରୀତ କୌର- ୧୦୧୨ ରନ୍ (୨୬ ମ୍ୟାଚ୍) ଯୋଡି ହୋଇଛି।