ଇସଲାମାବାଦ, ୨୮|୧୧: ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆୟୋଜିତ ହେବା ପୂର୍ବରୁ ଭାରତକୁ ପୁଣି ଟାର୍ଗେଟ କରିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ଅଧ୍ୟକ୍ଷ ମୋହସିନ ନକଭୀ। ପାକିସ୍ତାନରେ ଆୟୋଜନ ହେବାକୁ ଆଇସିସି ଇଭେଣ୍ଟରେ ଖେଳିବାକୁ ଭାରତ ପାକିସ୍ତାନ ଗସ୍ତ ନ କରିବା ସମ୍ପର୍କରେ ମନ୍ତବ୍ୟ ଦେଇ ଏହା ଆଦୌ ଗ୍ରହଣୀୟ ବୋଲି କହିଛନ୍ତି ।
ନକଭୀ କହିଛନ୍ତି ଯେ, ପାକିସ୍ତାନ ୨୦୨୩ ମସିହାରେ ବିଶ୍ୱକପ ଖେଳିବାକୁ ଭାରତକୁ ମ୍ୟାଚ ଖେଳିବା ପାଇଁ ଯାଇଥିଲା। କିନ୍ତୁ ୨୦୨୫ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଭାରତର ଏପରି ଆଭିମୁଖ୍ୟ ଆଦୌ ଠିକ ନୁହେଁ । ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, “ପାକିସ୍ତାନ କ୍ରିକେଟ ପାଇଁ ଯାହା ଭଲ ସେସବୁ କରିବାକୁ ମୁଁ ସମ୍ପୂର୍ଣ୍ଣ ଚେଷ୍ଟା କରୁଛି। ଆଇସିସି ଅଧ୍ୟକ୍ଷଙ୍କ ସହିତ ମୁଁ ନିୟମିତ ଯୋଗାଯୋଗରେ ରହିଛି। ମୋ ଟିମ ମଧ୍ୟ ତାଙ୍କ ସହ ଏ ବିଷୟରେ କଥା ହେଉଛି। ଆମେ ଏବେ ବି ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ଭାରତରେ ଆମର କ୍ରିକେଟ ଖେଳିବା ପାଇଁ କୌଣସି ଆପତ୍ତି ନଥିବା ବେଳେ ସେମାନେ ଆମ ଦେଶରେ ନ ଖେଳିବା ଆଦୌ ଗ୍ରହଣୀୟ ନୁହେଁ। ତେବେ ଯାହା ବି କିଛି ହେବ, ସେସବୁ ସମାନତା ଆଧାରରେ ହେବା ଦରକାର। ଏ ସମ୍ପର୍କରେ ଆମେ ଆଇସିସିକୁ ସ୍ପଷ୍ଟ ଭାବେ କହି ସାରିଛୁ ଏବଂ ଆଗକୁ ଯାହା ହେବ, ସେସବୁ ଖୁବଶୀଘ୍ର ଜଣାପଡିବ।” ଏହାସହିତ ଆଇସିସିର ପ୍ରତିନିଧି ଦଳ ସହ ଯୋଗାଯୋଗରେ ରହିବା ସହିତ ପିସିବି ଚାମ୍ପିୟନ୍ସ ଟ୍ରଫିର ସବୁ ମ୍ୟାଚ୍ରେ ପାକିସ୍ତାନରେ ଆୟୋଜନ କରିବାକୁ ଚାହୁଁଥିବା ସେ ମତ ରଖିଛନ୍ତି। ଅପରପକ୍ଷରେ ନକଭୀ ସ୍ପଷ୍ଟ ମଧ୍ୟ କରିଛନ୍ତି ଯେ, ଭାରତୀୟ ଟିମ ପାକିସ୍ତାନ ଗସ୍ତ ନ କରିବା ନେଇ ବିସିସିଆଇ ଠାରୁ କୌଣସି ଚିଠି ମିଳିନାହିଁ।
ଉଭୟ ଦେଶରେ ଚାଲିଥିବା ରାଜନୀତିକ ତିକ୍ତତା ଯୋଗୁଁ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସେଥିପାଇଁ ଭାରତ ଟିମ ପାକିସ୍ତାନ ଯିବା ପାଇଁ ଅଗ୍ରାହ୍ୟ କରିବାପରେ ତିକ୍ତତା ଆହୁରି ବୃଦ୍ଧି ପାଇଛି ।