ନୂଆଦିଲ୍ଲୀ: ରାଜସ୍ଥାନର ଚିତ୍ତୋରଗଡ଼ରେ ଥିବା ସାନୱାଲିୟା ସେଠ୍ ମନ୍ଦିରର ଦାନ ବାକ୍ସରୁ ସୁନା ବିସ୍କୁଟ ସହିତ ୨୩ କୋଟିରୁ ଅଧିକ ଟଙ୍କା ମିଳିଛି। ମିଳିଥିବା ସୁନା ବିସ୍କୁଟର ଓଜନ ପ୍ରାୟ ୧ କେଜି ହେବ। ଏଥିସହ ନଗଦ ୨୩ କୋଟିରୁ ଅଧିକ ଟଙ୍କା, ଗୋଟିଏ ରୁପାର ପିସ୍ତଲ ଓ ରୁପାର ହ୍ୟାଣ୍ଡକଫ୍ ମଧ୍ୟ ମିଳିଥିବା ଜଣାପଡିଛି। ଭଗବାନ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ଏହି ମନ୍ଦିରର ଟ୍ରେଜେରୀକୁ ନିକଟରେ ଖୋଲା ଯାଇଥିଲା। ବର୍ତ୍ତମାନ ସୁଦ୍ଧା ଗଣତିରୁ ୨୩ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରାଯାଇଛି। ଏମିତିକି ବହୁ ଛୋଟ ସୁନା ବିସ୍କୁଟ, ରୁପାର ବନ୍ଧୁକ, ରୁପା ତାଲା ଚାବି ଓ ବଂଶୀ ଭଳି ବହୁ ସାମଗ୍ରୀ ମଧ୍ୟ ଦାନ ଆକରରେ ମନ୍ଦିରକୁ ମିଳିଛି। ପୂର୍ବରୁ ଏହି ମନ୍ଦିରରୁ କେବେ ଏତେ ପରିମାଣର ସାମଗ୍ରୀ ମିଳି ନ ଥିବା ବେଳେ ଟ୍ରେଜେରୀରୁ ଯାହା ମିଳିଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି। ୨ ମାସ ପରେ ଦାନ ବାକ୍ସ ଖୋଲାଯାଇଥିବା ବେଳେ ଗଣତିର ପ୍ରଥମ ପର୍ଯ୍ୟାୟରେ ୧୧.୩୪ କୋଟି ଟଙ୍କା, ଦ୍ୱିତୀୟ ପର୍ଯ୍ୟାୟରେ ୩.୬୦ କୋଟି, ତୃତୀୟ ପର୍ଯ୍ୟାୟରେ ୪.୨୭ କୋଟି ଟଙ୍କା ମିଳିଥିବା ଜଣାପଡିଛି। ଆଗକୁ ଆହୁରି ଗଣତି ହେବାକୁ ଥିବାରୁ ଟଙ୍କାର ପରିମାଣର ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।