ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ (ପିଏମ୍ଏମ୍ଏଲ୍) ପକ୍ଷରୁ ଆନୁଷ୍ଠାନିକ ଭାବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ଲିଖିତ ବ୍ୟକ୍ତିଗତ ଚିଠିକୁ ମ୍ୟୁଜିୟମକୁ ଫେରସ୍ତ ପାଇଁ ଅନୁରୋଧ କରାଯାଇଛି। ପିଏମ୍ଏମ୍ଏଲ୍ ଏକ ଚିଠି ଲେଖି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଉକ୍ତ ଚିଠି ଫେରସ୍ତ କରିବାକୁ କହିଛି।
ଡିସେମ୍ବର ୧୦ ତାରିଖ ଦିନ ଏକ ଚିଠିରେ ପିଏମ୍ଏମ୍ଏଲ୍ ସଦସ୍ୟ ରିଜୱାନ କାଦ୍ରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ସୋନିଆ ଗାନ୍ଧୀ ନେଇଥିବା ମୂଳ ଚିଠି, ତାହାର ଫଟୋଗ୍ରାଫି କିମ୍ବା ଡିଜିଟାଲ କପି ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ପତ୍ରରେ କାଦ୍ରି ଉଲ୍ଲେଖ କରିଛନ୍ତି ଯେ ଜବାରହାରଲାଲ୍ ନେହେରୁଙ୍କ ଝିଅ ଇନ୍ଦିରା ଗାନ୍ଧୀ ଏହି ବ୍ୟକ୍ତିଗତ ପତ୍ରକୁ ପିଏମ୍ଏମ୍ଏଲ୍କୁ ପ୍ରଦାନ କରିଥିଲେ। ଯେହେତୁ ନେହେରୁଙ୍କ ଅକ୍ଷର ଭାରତୀୟ ଇତିହାସର ଏକ ଅମୂଲ୍ୟ ସଂପଦ, ସେହି ଚିଠିକୁ ସଂଗ୍ରହାଳୟରେ ସାଇତିବା ପାଇଁ ସେ ଏହାକୁ ଫେରସ୍ତ ମାଗିଛନ୍ତି।
ପ୍ରକାଶଥାଉ କି, ୨୦୦୮ ମସିହାରେ ୟୁପିଏ ଶାସନ ସମୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଅନୁରୋଧକ୍ରମେ ତାଙ୍କ ନିକଟକୁ ୫୧ଟି ବାକ୍ସରେ ପ୍ୟାକ କରାଯାଇ ଏହି ଚିଠିଗୁଡିକ ପଠାଯାଇଥିଲା। ଏହି ଚିଠିଗୁଡ଼ିକ ମଧ୍ୟରେ ଏଡୱିନା ମାଉଣ୍ଟବ୍ୟାଟେନ୍, ଆଲବର୍ଟ ଆଇନଷ୍ଟାଇନ, ଜୟପ୍ରକାଶ ନାରାୟଣ, ପଦ୍ମଜା ନାଇଡୁ, ବିଜୟ ଲକ୍ଷ୍ମୀ ପଣ୍ଡିତ, ଅରୁଣା ଆସଫ ଅଲି, ବାବୁ ଜଗଜୀବନ ରାମ ଏବଂ ଗୋବିନ୍ଦ ବଲ୍ଲବ ପନ୍ତଙ୍କ ପରି ବିଶିଷ୍ଟ ବ୍ୟକ୍ତିଙ୍କ ଚିଠି ରହିଥିଲା। ୧୯୭୧ ମସିହାରେ ଇନ୍ଦିରା ଗାନ୍ଧୀ, ଜବାହରଲାଲ ନେହେରୁ ମେମୋରିଆଲ ଫଣ୍ଡ ଦ୍ୱାରା ଏଗୁଡିକ ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ (ବର୍ତ୍ତମାନର ପିଏମଏମଏଲ)କୁ ହସ୍ତାନ୍ତର କରିଥିଲେ।