କେନ୍ଦୁଝରଗଡ଼଼: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼ା ବ୍ଲକର ସିଆଳିଯୋଡ଼ାରେ ଥିବା ଜିନ୍ଦଲ ସ୍ପୋର୍ଟସ କମ୍ପେ୍ଲକ୍ସରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ନବମ ଓ.ପି ଜିନ୍ଦଲ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ ସାନବଡ଼ବିଲ ଫୁଟବଲ କ୍ଲବ ଓ ଅଁସେଇକଳା ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଅଁସେଇକଳାକୁ ହରାଇ ସାନବଡବିଲ ଦଳ ଚମ୍ପିଆନ ଟ୍ରଫି ହାସଲ କରିଛି। ମାର୍ଶାଲ ପୂର୍ତ୍ତିଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିବା ବେଳେ ସର୍ବାଧିକ ଗୋଲ ପାଇଁ ସାନବଡ଼ବିଲର ଅମିତ ବେହେରାଙ୍କୁ ସ୍ୱତନ୍ତ୍ର ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।
ପୁରସ୍କାର ବିତରଣ ଉତ୍ସବରେ ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ଚମ୍ପିଆନ ଓ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଦେଓଝର ପଞ୍ଚାୟତ ସରପଞ୍ଚ ଧୃବଚରଣ ନାୟକ, ବିରିକଳା ପଞ୍ଚାୟତ ସମିତିସଭ୍ୟ ଜ୍ଞାନରଞ୍ଜନ ଖୁଣ୍ଟିଆ, କଣ୍ଡରା ପଞ୍ଚାୟତ ସମିତିସଭ୍ୟ ସୋମନାଥ ମହାନ୍ତ, ଦେଓଝର ପଞ୍ଚାୟତର ପୂର୍ବତନ ସରପଞ୍ଚ ମଙ୍ଗଲ ମୁଣ୍ଡା ପ୍ରମୁଖ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଆଦିମ ସଂସ୍କୃତି ସାଧାରଣ ସମ୍ପାଦକ ଡ. ରୁଦ୍ରମଣି ପାତ୍ର ଓ କଣ୍ଡରା ପଞ୍ଚାୟତର ନାଏବ ସରପଞ୍ଚ ମଙ୍ଗୁ ଚାତାରଙ୍କ ସମେତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପକ୍ଷରୁ ଜିନ୍ଦଲ ପେଲେଟ ପ୍ଲାଣ୍ଟ ୟୁନିଟ ମୁଖ୍ୟ ପୁରୁଷୋତ୍ତମ ଏମ.ଡି., ବଡବିଲର ମାନବସମ୍ବଳ ବିଭାଗ ମୁଖ୍ୟ ଆଶିଷ ରଞ୍ଜନ ମହାନ୍ତି, ଔଦ୍ୟୋଗିକ ସାମାଜିକ ଦାୟିତ୍ୱବୋଧ ଅଧିକାରୀ ଭର୍ଜିଲ ଲାକ୍ରା ଓ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାମାନନ୍ଦ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ଗତ ୧୯ ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଏଥିରେ ବିଭିନ୍ନ ପଞ୍ଚାୟତର ୪୦ଟି ଫୁଟବଲ୍ ଦଳ ଅଂଶଗ୍ରହଣ କରିଥିଲେ।