ନୂଆଦିଲ୍ଲୀ: ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ ପରେ ଭାରତୀୟ ଦଳର ଭେଟେରାନ ସ୍ପିନର ଆର ରବିଚନ୍ଦ୍ରନ ଅଶ୍ୱିନ ଅବସର ଘୋଷଣା କରିଥିଲେ। ମ୍ୟାଚ ଅନୁଷ୍ଠିତ ହେବାପରେ ଅଶ୍ୱିନ ସାମ୍ବାଦିକ ସମ୍ମିଳନୀକୁ ଆସି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଉଥିବା ଘୋଷଣା କରିଥିଲେ। ତାଙ୍କର ଏହି ନିଷ୍ପତ୍ତି ସମସ୍ତ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି। କାରଣ ଟେଷ୍ଟରେ ଭାରତ ପାଇଁ ସର୍ବାଧିକ ୱିକେଟ ନେଇଥିବା ବୋଲରଙ୍କ ତାଲିକାରେ ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ତାଙ୍କ ଅବସର କଥା କେହି ଆଶା କରିନଥିଲେ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଶ୍ୱିନଙ୍କୁ ତାଙ୍କ ଭବିଷ୍ୟତ ଜୀବନ ପାଇଁ ଶୁଭେଚ୍ଛା ଜଣାଇ ତାଙ୍କ ପାଇଁ ଏକ ଚିଠି ଲେଖିଛନ୍ତି । ଅଶ୍ଵିନୀ ହଠାତ ଏପରି ନିଷ୍ପତ୍ତି ନେଇ କେରମ ବଲ ବୋଲିଂ କରି ସମସ୍ତଙ୍କୁ ବୋଲ୍ଡ କରିଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି। ଏହି ଚିଠିରେ ଭାରତୀୟ କ୍ରିକେଟରେ ଅଶ୍ଵିନଙ୍କ ଅବଦାନକୁ ମନେ ରଖିବା କଥା କହିବା ସହିତ ଏହି ଅଫ ସ୍ପିନରଙ୍କ ପ୍ରତିବଦ୍ଧତା ପାଇଁ ପ୍ରଶଂସା କରିଥିଲେ। ଅଶ୍ଵିନଙ୍କୁ ଭାରତର ଜଣେ ମହାନ ଖେଳାଳି ବୋଲି ବର୍ଣ୍ଣନା କରି ଟି -୨୦ ବିଶ୍ୱକପ -୨୦୨୨ରେ ପାକିସ୍ତାନ ବିପକ୍ଷରେ ଅଶ୍ୱିନଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ବିଶେଷ ପ୍ରଶଂସା କରିଥିଲେ ମୋଦୀ। ଏହାସହିତ ମୋଦୀ ଅଶ୍ଵିନୀଙ୍କ ଅନ୍ତଜାତୀୟ କ୍ରିକେଟ କ୍ୟାରିୟରକୁ ପ୍ରଶଂସା କରି ୯୯ ନମ୍ବର ଜର୍ସିକୁ ଭାରତୀୟ ଦଳ ସବୁବେଳେ ମିସ୍ କରିବ ବୋଲି ଲେଖିଛନ୍ତି।