ନୂଆଦିଲ୍ଲୀ: ବାଂଲାଦେଶଠାରୁ ପ୍ରତିଶୋଧ ନେଲା ଭାରତୀୟ ମହିଳା ଦଳ। ଅଣ୍ଡର-୧୯ ମହିଳା ଏସିଆ କପ୍ ଟି୨୦ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଦଳ ବାଂଲାଦେଶକୁ ପରାସ୍ତ କରି ଟାଇଟଲ ହାସଲ କରିଛି। କ୍ବାଲାଲମ୍ପପୁରର ବାୟୁଏମାସ ଓଭାଲରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ୪୧ ରନରେ ବାଂଲାଦେଶକୁ ପରାସ୍ତ କରିଛି।
ମହିଳା ଅଣ୍ଡର -୧୯ ଏସିଆ କପ ୨୦୨୪ର ଫାଇନାଲ ମ୍ୟାଚରେ ଭାରତ ଏବଂ ବାଂଲାଦେଶ ମୁହାଁମୁହିଁ ହୋଇଥିଲେ । ପ୍ରଥମେ ବାଂଲାଦେଶ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ବିନିମୟରେ ୧୧୭ ରନ୍ ହାସଲ କରିଥିଲା। ଏହି ଟାର୍ଗେଟକୁ ପିଛା କରି ବାଂଲାଦେଶ ଦଳ ୭୬ ସ୍କୋରରେ ଅଲଆଉଟ ହେବାଫଳରେ ଭାରତ ୪୧ ରନରେ ମ୍ୟାଚ ଜିତିଯାଇଛି।ଏହି ମ୍ୟାଚରେ ଭାରତର ଓପନିଂ ବ୍ୟାଟ୍ସମ୍ୟାନ ଗୋଗାଡି ତ୍ରିଶା ୫୨ (୪୭) ରନର ଦମଦାର ଇନିଂସ ଖେଳିଥିବାରୁ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମିଳିଛି। ତ୍ରିଶା ୫ଟି ଚଉକା ଏବଂ ୨ଟି ଛକା ମାରି ୫୨ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ୨୦ ରନରୁ ଅଧିକ କରିନଥିଲେ । ବାଂଲାଦେଶ ଟିମର ଫରଜାନା ଇସ୍ମିନ ସର୍ବାଧିକ ୪ ୱିକେଟ ନେଇଥିଲେ ।
ପ୍ରକାଶଥାଉ କି, ଚଳିତ ବର୍ଷ ଅଣ୍ଡର -୧୯ ଏସିଆ କପ୍ର ଫାଇନାଲରେ ଭାରତର ପୁରୁଷ ଦଳ ମଧ୍ୟ ପ୍ରବେଶ କରିଥିଲେ, କିନ୍ତୁ ବାଂଲାଦେଶଠାରୁ ପରାସ୍ତ ହୋଇ ଟ୍ରଫି ଜିତିପରି ନଥିଲେ। କିନ୍ତୁ ଭାରତୀୟ ମହିଳା ଦଳ ବାଂଲାଦେଶକୁ ପରାସ୍ତ କରି ପୁରୁଷ ଦଳର ପରାଜୟର ପ୍ରତିଶୋଧ ନେଇଥିବା କୁହାଯାଉଛି।