ଗୁରୁବାର ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। କ୍ୟାବିନେଟ ନିଷ୍ପତ୍ତିକ୍ରମେ ଓଡିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦କୁ ସଂଶୋଧନ କରାଯାଇଛି। ଏହି ନିୟମ ଅନୁସାରେ କାର୍ଯ୍ୟକାଳ ମଧ୍ୟରେ ଯଦି କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟେ ତେବେ ତାଙ୍କ ବିବାହିତ ଝିଅ କିମ୍ବା ସାବତ ଝିଅକୁ ଅନୁକମ୍ପାମୂଳକ ନିଯୁକ୍ତି ଦିଆଯିବ। ଏପରିସ୍ଥଳେ ଝିଅ ଯଦି ବିବାହିତ ହୋଇ ମଧ୍ୟ ମା/ବାପାଙ୍କ ଉପରେ ନିର୍ଭରଶୀଳ ଥିବେ ତେବେ ତାଙ୍କୁ ନିଯୁକ୍ତି ମିଳିବ। ଥଇଥାନ ଯୋଜନା ମାଧ୍ୟମରେ ଏହି ଚାକିରି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଅଗ୍ନିବୀରଙ୍କୁ ନେଇ ରାଜ୍ୟ କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ହୋଇଛି। ଓଡିଶା ଅବସରପ୍ରାପ୍ତ (ୟୁନିଫର୍ମ ସର୍ଭିସ ନିଯୁକ୍ତି) ଅଗ୍ନିବୀର ନିୟମାବଳୀ, ୨୦୨୪ କୁ ପ୍ରଣୟନ କରାଯାଇଛି। ଏହି ନିୟମାବଳୀରେ ଅବସରପ୍ରାପ୍ତ ଅଗ୍ନିବୀରମାନଙ୍କ ପାଇଁ ୧୦% ଆନୁଭୁମିକ ସ୍ଥାନ ସଂରକ୍ଷଣକୁ ବୈଠକରେ ମଞ୍ଜୁରୀ ମିଳିଛି। ୧ ବର୍ଷ ପ୍ରଶିକ୍ଷଣ ଏବଂ ୪ ବର୍ଷ ଚାକିରି ପରେ ବି ଅଗ୍ନିବୀରମାନଙ୍କୁ ନିଯୁକ୍ତି ମିଳିବା ସହିତ ସେମାନଙ୍କୁ ପୁଲିସ, ଅଗ୍ନିଶମ ଏବଂ ବନ ବିଭାଗରେ ମଧ୍ୟ ୧୦% ସଂରକ୍ଷଣ ପ୍ରଦାନ କରାଯିବ। ଏହାସହ ସେମାନଙ୍କ ନିର୍ଦ୍ଧାରିତ ବୟସ ସୀମାକୁ ୩ ବର୍ଷ ପର୍ଯ୍ୟନ୍ତ କୋହଳ କରାଯିବ।
ସେହିପରି ଗୋପାଳପାଳପୁର ବନ୍ଦର ୯୫% ଆଦାନୀ ଗ୍ରୁପକୁ ପ୍ରଦାନ କରାଯାଇଥିବା ବେଳେ ବାକି ୫% ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ପାଖରେ ରହିଛି। ଏହା ଫଳରେ ଗୋପାଳପୁର ବନ୍ଦରର ଉନ୍ନତିକରଣ ହେବା ସହିତ ରାଜ୍ୟରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ବଢ଼ିବ। ଏନେଇ ରାଜ୍ୟ କ୍ୟାବିନେଟରେ ଏହି ୯୫%:୫% ଅଂଶଧନ ଚୁକ୍ତିନାମାକୁ ମଞ୍ଜୁରୀ ମିଳିଛି ।