ବରିଷ୍ଠ ରାଜନେତା ତଥା ସିପିଆଇଏମର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ପରଲୋକ ହୋଇଛି। ୭୨ ବର୍ଷୀୟ ୟେଚୁରୀ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିଲେ। ଶ୍ୱାସକ୍ରିୟାରେ ସମସ୍ୟା ହେତୁ ଦୀର୍ଘଦିନ ଧରି ସେ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିଲେ। ନିଃଶ୍ୱାସ ପ୍ରଶ୍ୱାସ ନେଇ ପାରୁନଥିବାରୁ ତାଙ୍କୁ ମେସିନ ଦ୍ୱାରା ଆବଶ୍ୟକ ପରିମାଣର ଅମ୍ଳଜାନ ଯୋଗାଇ ଦିଆଯାଉଥିଲେ ସୁଦ୍ଧା ୟେଚୁରୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ସୂଚନା ମିଳିଥିଲା।
ସୂଚନାଯୋଗ୍ୟଯେ, ଗତ ୧୯ ତାରିଖ ସନ୍ଧ୍ୟାରେ ନିମୋନିଆ ଯୋଗୁ ୟେଚୁରୀଙ୍କୁ ଏମ୍ସର ସ୍ୱତନ୍ତ୍ର ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତେବେ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାଯୋଗୁଁ ୟେଚୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ ନିୟୋଜିତ ଥିଲେ। ତେବେ ମଙ୍ଗବାର ଆସିଥିବା ରିପୋର୍ଟ ଅନୁଯାୟୀ, ସୀତାରାମଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିବା ଦଳ ପକ୍ଷରୁ ସୋସିଆଲ ମିଡ଼ିଆ ‘ଏକ୍ସ’ ପୋଷ୍ଟ କରାଯାଇଥିଲା। ଏହା ପୂର୍ବରୁ ୟେଚୁରୀଙ୍କ ମୋତିଆ ବିନ୍ଦୁ ଅପରେସନ ମଧ୍ୟ ହୋଇଥିଲା।
ସୀତାରାମ ୟେଚୁରୀ ସିପିଆଇଏମର ଜଣେ ବରିଷ୍ଠ ସଦସ୍ୟ ଥିଲେ। ୧୯୯୬ ମସିହାରେ ସେ ୟୁନାଇଟେଡ୍ ଫ୍ରଣ୍ଟ ସରକାର ପାଇଁ କମନ୍ ମିନିମମ୍ ପ୍ରୋଗ୍ରାମ୍ ପ୍ରସ୍ତୁତ କରିବାରେ ପି ଚିଦାମ୍ବରମଙ୍କ ସହ ସହଯୋଗ କରିବା ସହିତ ୨୦୦୪ରେ UPA ଗଠନ ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରିଥିଲେ।