ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଣିଥରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଗୋଟିଏ ଦିନରେ ୨ଟି ଅଲଗା ଅଲଗା ସ୍ଥାନରେ ଏନକାଉଣ୍ଟଟର ହୋଇଛି। କିସ୍ତଓ୍ବାର ଓ ବାରାମୂଲାରେ ଏହି ଏନକାଉଣ୍ଟର ହୋଇଛି। କିସ୍ତଓ୍ବାରରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଭାରତୀୟ ଯବାନ ଶହୀଦ ହେବା ସହ ୨ ଜଣ ଆହତ ହୋଇଛନ୍ତି । ସେହିପରି ବାରାମୂଲାଠାରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କିସ୍ତଓ୍ବାରରେ ଶହୀଦ ହୋଇଥିବା ଯବାନଦ୍ବୟ ହେଲେ ନାଏବ ସୁବେଦାର (ଜୁନିଅର କମିଶନଡ ଅଫିସର) ବିପିନ କୁମାର ଓ ସିପାହୀ ଅରବିନ୍ଦ ସିଂ। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ଉକ୍ତ ଅଞ୍ଚଳରେ ଅପରେସନ ଜାରି ରହିଥିବା ନେଇ ସେନାର ‘ହ୍ବାଇଟ ନାଇଟ କ୍ରପ୍ସ’ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ କିସ୍ତଓ୍ବାର ଅଂଚଳର ନାଇଡଗାମ ଗାଁରେ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଭାରତୀୟ ସେନାର ଦୁଇ ଯବାନ ଶହୀଦ ହୋଇଥିଲେ ଏବଂ ଦୁଇ ଯବାନ ଆହତ ହୋଇଥିଲେ। ଉଭୟଙ୍କୁ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ଚିକିତ୍ସା ଜାରି ରହିଛି। ତେବେ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଏହି ଘଟଣା ପରେ ନାଇଡଗାମ ଗାଁର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।
ସେହିପରି ଜମ୍ମୁ-କାଶ୍ମୀର ବାରାମୂଲା ଜିଲାର ଚକ୍ ଟାପର୍ କ୍ରେରି ପଟ୍ଟାନ୍ ଅଞ୍ଚଳରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଥିବା ବେଳେ କୌଣସି ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିନାହିଁ ।
ପ୍ରକାଶଥାଉ କି, ଆଗାମୀ କିଛି ଦିନରେ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଅଛି । ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଡୋଡାରେ ନିର୍ବାଚନୀ ରାଲି ଥିବା ବେଳେ ଏହା ଏନକାଉଣ୍ଟର ଜାରି ରହିଥିବା ସ୍ଥାନଠାରୁ ପ୍ରାୟ ୫୦ କିମି ଦୂରରେ ରହିଛି । ତେବେ କାର୍ଯ୍ୟକ୍ରମ ପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ଓ ବିନା ହିଂସାରେ ନିର୍ବାଚନ ଶେଷ କରିବା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯିବ । କେତେକ ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ଅଧିକ ଫୋର୍ସ ମୁତୟନ କରାଯିବା ଆରମ୍ଭ ହେଲାଣି ।