ଦିଲ୍ଲୀ: ଗତ କିଛିଦିନରୁ ଦିଲ୍ଲୀ ରାଜନୀତି ସରଗରମ ଥିବା ବେଳେ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ସୂଚନା ଦେବାପରେ ଆଉ ଏକ ଝଟକା ଲାଗିଛି । ଆପ୍ର ନୂଆ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଦଳ କାହାକୁ ବାଛିବ ଏନେଇ ଆଲୋଚନା ଜୋର ଧରିଛି। ମଦ ଦୁର୍ନୀତି ମାମଲାରେ ଜେଲରୁ ମୁକୁଳିବା ୨ ଦିନ ପରେ ସମସ୍ତଙ୍କୁ ଝଟ୍କା ଦେଇଥିଲେ କେଜ୍ରିୱାଲ । ଦୁଇ ଦିନ ମଧ୍ୟରେ ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ଜନତାଙ୍କ ରାୟ ନଆସିବା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ଏଥିସହ ଦିଲ୍ଲୀର ଜନତା ତାଙ୍କୁ କାର୍ଯ୍ୟରେ ନିଷ୍ଠାପର ଓ ବିଶ୍ୱସ୍ତ ଭାବେ ନିର୍ଦ୍ଦୋଷ ସାବ୍ୟସ୍ତ କଲା ପରେ ସେ ଆସନ ଗ୍ରହଣ କରିବେ ବୋଲି କହିଥିଲେ ।
ତେବେ ସେ ଇସ୍ତଫା ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ରେସରେ ଅନେକ ଚେହେରା ଥିବା ବେଳେ କାହା ଉପରେ ଦଳର ମୋହର ବାଜିବ ସେ ନେଇ ଚର୍ଚ୍ଚା ଜୋର ଧରିଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇପାରେ ବୋଲି ଆଶା କରାଯାଉଥିବା ବେଳେ ମଙ୍ଗଳବାର ପୂର୍ବାହ୍ନ ୧୧.୩୦ରେ ଆମ ଆଦମି ପାର୍ଟିର ବିଧାୟକ ଦଳ ବୈଠକ ବସିବା ସହ ଦିଲ୍ଲୀରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ନିଷ୍ପତ୍ତି ନିଆଯିବ। ପୂର୍ବ ଘୋଷଣା ଅନୁସାରେ କେଜ୍ରିୱାଲ ଇସ୍ତଫା ଦେବାପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ସମୟ ମାଗିବା ସହ ଅପରାହ୍ନ ୪.୩୦ରେ ସେ ଉପରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇପାରନ୍ତି ବୋଲି ଆଲୋଚନା କରାଯାଉଛି ।
ଅପରପକ୍ଷରେ କେଜ୍ରିୱାଲଙ୍କ ପରେ ଦେଶର ରାଜଧାନୀର ଶାସନ ଭାର କିଏ ସମ୍ଭାଳିବ ଏହାକୁ ନେଇ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ହେଉଛି । କେଜ୍ରିୱାଲଙ୍କ ଇସ୍ତଫା ଘୋଷଣା ପରେ ଏବେ ମୁଖ୍ୟମନ୍ତ୍ରୀ ରେସରେ ମନ୍ତ୍ରୀ ଆତିଶୀ, ଗୋପାଳ ରାୟ, ସୌରଭ ଭରଦ୍ବାଜ, କୈଳାସ ଗେହଲଟ, ରାକ୍ଷୀ ବିଡଲା ଓ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲଙ୍କ ପରି ଅନେକ ଚେହେରା ଚର୍ଚ୍ଚାରେ ଅଛନ୍ତି । ମଦ ଦୁର୍ନୀତି ମାମଲାରେ ଜେଲରୁ ମୁକୁଳିବା ୨ ଦିନ ପରେ ସମସ୍ତଙ୍କୁ ଝଟ୍କା ଦେଇଥିଲେ କେଜ୍ରିୱାଲ ।