ଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ସୂଚନା ଦେବାପରେ ଦିଲ୍ଲୀ ରାଜନୀତି ସରଗରମ ଅଛି । ମଙ୍ଗଳବାର ପୂର୍ବାହ୍ନ ୧୧.୩୦ରେ ଆମ ଆଦମି ପାର୍ଟିର ବିଧାୟକ ଦଳ ବୈଠକ ବସିବା ସହ ଦିଲ୍ଲୀରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ନିଷ୍ପତ୍ତି ହୋଇଛି । ଆପ୍ ବିଧାୟକ ଦଳ ବୈଠକର ନିଷ୍ପତ୍ତି ଅନୁଯାୟୀ ଆତିଶୀ ମାର୍ଲେନା ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯାଉଛନ୍ତି। ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆତିଶୀଙ୍କ ନାମ ପ୍ରସ୍ତାବ ରଖିଥିବା ବେଳେ ସର୍ବସମ୍ମିତି କ୍ରମେ ଏହି ନିଷ୍ପତ୍ତିରେ ମୋହର ବାଜିଛି ।
ସୂଚନାଯୋଗ୍ୟ ଯେ, ମଦ ଦୁର୍ନୀତି ମାମଲାରେ ଜେଲରୁ ମୁକୁଳିବା ୨ ଦିନ ପରେ ସମସ୍ତଙ୍କୁ ଝଟ୍କା ଦେଇଥିଲେ କେଜ୍ରିୱାଲ । ଦୁଇ ଦିନ ମଧ୍ୟରେ ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ଜନତାଙ୍କ ରାୟ ନଆସିବା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ଏଥିସହ ଦିଲ୍ଲୀର ଜନତା ତାଙ୍କୁ କାର୍ଯ୍ୟରେ ନିଷ୍ଠାପର ଓ ବିଶ୍ୱସ୍ତ ଭାବେ ନିର୍ଦ୍ଦୋଷ ସାବ୍ୟସ୍ତ କଲା ପରେ ସେ ଆସନ ଗ୍ରହଣ କରିବେ ବୋଲି କହିଥିଲେ । ଅପରପକ୍ଷରେ କେଜ୍ରିୱାଲଙ୍କ ପରେ ଦେଶର ରାଜଧାନୀର ଶାସନ ଭାର କିଏ ସମ୍ଭାଳିବ ଏହାକୁ ନେଇ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ହେଉଥିଲା । ମୁଖ୍ୟମନ୍ତ୍ରୀ ରେସରେ ମନ୍ତ୍ରୀ ଆତିଶୀ, ଗୋପାଳ ରାୟ, ସୌରଭ ଭରଦ୍ବାଜ, କୈଳାସ ଗେହଲଟ, ରାକ୍ଷୀ ବିଡଲା ଓ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲଙ୍କ ପରି ଅନେକ ଚେହେରା ଚର୍ଚ୍ଚାରେ ଥିବା ବେଳେ ବିଧାୟକ ଦଳ ବୈଠକର ସର୍ବ ସମ୍ମତି କ୍ରମେ ଆତିଶୀ ମାର୍ଲେନାଙ୍କ ନାମରେ ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳିବା ପାଇଁ ମୋହର ବାଜିଛି।