ନୂଆଦିଲ୍ଲୀ : ବୁଧବାର ଅର୍ଥାତ ସେପ୍ଟେମ୍ବର ୧୮ରେ ନୂଆଦିଲ୍ଲୀଠାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଏନ୍ପିଏସ୍ (ଜାତୀୟ ପେନ୍ସନ ଯୋଜନା) ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି। କେନ୍ଦ୍ର ବଜେଟ ୨୦୨୪-୨୫ରେ ଘୋଷଣା ଅନୁଯାୟୀ ଏହି ଯୋଜନାର ଶୁଭାରମ୍ଭ ହେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ସ୍କୁଲ ପିଲାମାନେ ସାମିଲ ହେବେ।
ବୁଧବାର ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପେନ୍ସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (ପିଏଫଆରଡିଏ)ର ଅଧ୍ୟକ୍ଷ ଦୀପକ ମହାନ୍ତି, ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ, ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ତଥା ଆର୍ଥିକ ସେବା ବିଭାଗର ସଚିବ ନାଗାରାଜୁ ମଦିରାଲା ଯୋଗଦେବେ। କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏନପିଏସ ବାତ୍ସଲ୍ୟ ଯୋଜନାରେ ଗ୍ରାହକ ପଞ୍ଜୀକରଣ, ଯୋଜନା ପ୍ରଚାର ପୁସ୍ତିକା ଜାରି ଏବଂ ନୂତନ ଅପ୍ରାପ୍ତ ବୟସ୍କ ଗ୍ରାହକଙ୍କୁ ସ୍ଥାୟୀ ଅବସର ଖାତା ନମ୍ବର (ପ୍ରାନ୍) କାର୍ଡ ବଣ୍ଟନ ପାଇଁ ଏକ ଅନଲାଇନ୍ ପ୍ଲାଟଫର୍ମର ଶୁଭାରମ୍ଭ କରିବେ। ନୂଆଦିଲ୍ଲୀ ସମେତ ଦେଶର ପ୍ରାୟ ୭୫ଟି ସ୍ଥାନରେ ଏକକାଳୀନ ଏନପିଏସ୍ ବାତ୍ସଲ୍ୟ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯିବ। ଭିଡିଓ କନଫରେନ୍ସିଂ ଜରିଆରେ ଅନ୍ୟ ସ୍ଥାନଗୁଡ଼ିକରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇ ସେହିସବୁ ସ୍ଥାନରେ ନୂତନ ଅପ୍ରାପ୍ତ ବୟସ୍କ ଉପଭୋକ୍ତାଙ୍କୁ ପ୍ରାନ୍ ସଦସ୍ୟତା ବିତରଣ କରାଯିବ।
ସୂଚନାଯୋଗ୍ୟ ଯେ, ଏନପିଏସ ବାତ୍ସଲ୍ୟ ଯୋଜନାଦ୍ୱାରା ଅଭିଭାବକମାନେ ପେନସନ ଆକାଉଣ୍ଟରେ ନିବେଶ କରି ନିଜ ପିଲାଙ୍କ ଭବିଷ୍ୟତ ପାଇଁ ସଞ୍ଚୟ ଏବଂ ଚକ୍ରବୃଦ୍ଧି ସୁବିଧା ସହିତ ଦୀର୍ଘମିଆଦୀ ଅର୍ଥ ନିବେଶ କରିପାରିବେ। ଏନପିଏସ ବାତ୍ସଲ୍ୟ ଯୋଜନା ଅନୁସାରେ ନମନୀୟ ବିନିଯୋଗ ସହିତ ନିବେଶ ବିକଳ୍ପ ପ୍ରଦାନ କରି ଅଭିଭାବକଙ୍କୁ ପିଲାଙ୍କ ନାମରେ ବାର୍ଷିକ ୧,୦୦୦ ଟଙ୍କା ନିବେଶ କରି ସେମାନଙ୍କ ଅବସର ସଞ୍ଚୟ ଦିଗରେ ସହଯୋଗ କରିପାରିବେ। ସେମାନଙ୍କ ପିଲା ସାବାଳକ ହେବା ପରେ ଉକ୍ତ ଆକାଉଣ୍ଟ ନିୟମିତ ଏନ୍ପିଏସ୍ ଆକାଉଣ୍ଟକୁ ରୂପାନ୍ତର ହୋଇଯିବ। ଯାହା ଦୀର୍ଘ ଅବସର ଜୀବନ ପାଇଁ ସଞ୍ଚୟ କରିବାରେ ସାହାଯ୍ୟ କରିବ। ପିଲାଙ୍କ ଆର୍ଥିକ ଭବିଷ୍ୟତ ସୁରକ୍ଷିତ କରିବା ଦିଗରେ ଏହି ନୂତନ ପଦକ୍ଷେପ ଶୀଘ୍ର ଆରମ୍ଭ କରିବା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ପେନସନ ପାଣ୍ଠି ନିୟାମକ ଏବଂ ଉନ୍ନୟନ କର୍ତ୍ତୃପକ୍ଷ (ପିଏଫଆରଡିଏ) ଅଧୀନରେ ଏହି ଯୋଜନା ପରିଚାଳିତ ହେବ। ଏନ୍ପିଏସ୍ ବାତ୍ସଲ୍ୟର ଶୁଭାରମ୍ଭ ଦୀର୍ଘମିଆଦୀ ଆର୍ଥିକ ଯୋଜନା ଏବଂ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ତଥା ଭବିଷ୍ୟତ ପିଢ଼ିକୁ ଆର୍ଥିକ ଦୃଷ୍ଟିରୁ ଅଧିକ ସୁରକ୍ଷିତ ଓ ସ୍ୱାଧୀନ କରିବା ଦିଗରେ ଏକ ବଡ଼ ପଦକ୍ଷେପ ଅଟେ।