ଭରତପୁର ଥାନାରେ ଜଣେ ଗୁରୁୱନ୍ତ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତାଙ୍କୁ ନିର୍ଯାତନା ମାମଲାରେ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି ୱାଇ.ବି. ଖୁରାନିଆ। ମଙ୍ଗଳବାର ଏହି ମାମଲାର ତଦନ୍ତ କରିବାକୁ ଡିଜିପି କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ତଦନ୍ତ ପରେ ଭରତପୁର ଥାନାର ପୂର୍ବତନ IIC ଦୀନକୃଷ୍ଣ ମିଶ୍ର, SI ବୈଶାଳିନୀ ପଣ୍ଡା, ASI ସଲିଳମୟୀ ସାହୁ , ସାଗରିକା ରଥ , କନଷ୍ଟେବଳ ବଳରାମ ହାଁସଦାଙ୍କୁ ନିଲମ୍ବିତ କରାଯାଇଛି। ଏହି ୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ମଙ୍ଗଳବାର ଭରତପୁର ଥାନାର IIC, ଜଣେ ASI ଓ କନଷ୍ଟେବଳଙ୍କୁ ବଦଳି କରାଯାଇଥିବା ବେଳେ ଗୋଟିଏ ଦିନ ପରେ ଅର୍ଥାତ ବୁଧବାର ୫ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି ୱାଇ.ବି. ଖୁରାନିଆ।
ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ଭାରତୀୟ ସ୍ଥଳ ସେନାର ମେଜର ଓ ତାଙ୍କ ବାନ୍ଧବୀ ପଟିଆରୁ ଭରତପୁର ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ଥାନା ଅଞ୍ଚଳର କିଛି ଯୁବକ ତାଙ୍କ ଗାଡ଼ି ଅଟକାଇ ଉଭୟଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ । ଏନେଇ ଅଭିଯୋଗ କରିବାକୁ ଉଭୟେ ଥାନାକୁ ଆସିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନ ଥିଲେ । ଏପରିକି ପୋଲିସ ମେଜରଙ୍କୁ ହାଜତରେ ସାରା ରାତି ରଖିବା ସହ ତାଙ୍କ ବାନ୍ଧବୀଙ୍କୁ ଅର୍ଦ୍ଧନଗ୍ନ କରି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଆହୁରି ମଧ୍ୟ ଭରତପୁର ଥାନାର ତତ୍କାଳୀନ ଆଇଆଇସି ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। କିନ୍ତୁ ମେଜର ଏବଂ ତାଙ୍କ ବାନ୍ଧବୀ ନିଶା ସେବନ କରି ଆସି ଥାନାରେ ପାଟିତୁଣ୍ଡ କରିବା ସହ ଗଣ୍ଡଗୋଳ କରିଥିଲେ ବୋଲି ପୋଲିସ ପକ୍ଷରୁ ସଫେଇ ଦିଆଯାଇଥିଲା । ଏହି ଖବର ଜଣାପଡ଼ିବା ପରେ ସେନାର ସେଣ୍ଟ୍ରାଲ କମାଣ୍ଡର ଅଧିକାରୀମାନେ ଏଥିରେ ହସ୍ତକ୍ଷେପ କରିବା ସହ କମିଶନରେଟ ପୋଲିସ ମିଥ୍ୟା ଖବର ପ୍ରସାରିତ କରୁଥିବା ଅଭିଯୋଗ ଆଣିଥିଲେ । ପୋଲିସ ଘଟଣାଦିନ ଅଭିଯୋଗକାରୀଙ୍କୁ ଥାନାରେ ମାଡ଼ମାରିଥିବା ନେଇ ସେମାନେ ଅଭିଯୋଗ କରିଥିଲେ । ଅପରପକ୍ଷରେ ସଦ୍ୟ ନିର୍ମିତ ଭରତପୁର ମଡେଲ ଥାନାରେ ସିସିଟିଭି ନ ଥିବା କଥା ଥାନାଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିବା ହାସ୍ୟାସ୍ପଦ ବୋଲି ସେନା ତଥା ଜନସାଧାରଣଙ୍କ ପକ୍ଷରୁ କୁହାଯାଇଛି ।