ବାଲିଗୁଡ଼ା: ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଗାଁ ରୁ ପ୍ରାୟ ତିନି କିଲୋମିଟର ଦୂର ମୁଖ୍ୟ ରାସ୍ତାକୁ ବୋହି ବୋହି ଆଣିବାକୁ ପଡିଲା ରୋଗୀଙ୍କୁ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଉପାନ୍ତ ଅଞ୍ଚଳ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଦୁର୍ଗାପାଙ୍ଗା ପଞ୍ଚାୟତର ବାଡିପାଙ୍ଗା ଗାଁ ରେ।
ସୂଚନା ଅନୁସାରେ, ମଙ୍ଗଳବାର ଦୁର୍ଗାପାଙ୍ଗା ପଞ୍ଚାୟତର ବାଡ଼ିପାଙ୍ଗା ଗାଁର ବାୟା ରଇତଙ୍କ ୨୫ ବର୍ଷର ପୁଅ ଶ୍ରୀକାନ୍ତ ରଇତଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ଚିକିତ୍ସା ପାଇଁ କୋଟଗଡ଼ ଡ଼ାକ୍ତରଖାନାକୁ ନେବାକୁ ଆମ୍ବୁଲାନ୍ସକୁ ଫୋନ୍ କରିଥିବା ସତ୍ତ୍ୱେ ରାସ୍ତା ଖରାପ ଥିବା ଯୋଗୁଁ ଗାଁ ଭିତରକୁ ଆମ୍ବୁଲାନ୍ସ ଯାଇପାରି ନଥିଲା । ଫଳରେ ପରିବାର ଲୋକେ ବାଧ୍ୟହୋଇ ଏକ ଖଟିଆରେ ଭାର କରି ପ୍ରାୟ ତିନି କିଲୋମିଟର ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଁଚାଇଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ କୋଟଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ଶ୍ରୀକାନ୍ତଙ୍କୁ । ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ଅପରପକ୍ଷରେ ରାସ୍ତା ଖରାପ ଯୋଗୁଁ ଠିକ୍ ସମୟରେ ଗାଁ ରେ ଆମ୍ବୁଲାନ୍ସ ପହଁଚି ପାରି ନଥିବାରୁ ଡାକ୍ତରଖାନାରେ ପହଁଚିବା ଓ ଚିକିତ୍ସାରେ ବିଳମ୍ବ ହେବାରୁ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି ।