ରାମନାଥ କୋବିନ୍ଦଙ୍କ କମିଟି ସୁପାରିଶ ଆଧାରରେ ‘ୱାନ୍ ନେସନ୍ ୱାନ୍ ଇଲେକ୍ସନ’ ରିପୋର୍ଟକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ବୁଧବାର ମୋଦି ସରକାରଙ୍କ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପିତ ହୋଇଥିବା ବେଳେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତିକୁ ଅନୁମୋଦନ ମିଳିଛି। କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି କେନ୍ଦ୍ର ଆଇଟି ତଥା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି । ଏନେଇ ସେ କହିଛନ୍ତି ଯେ “ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟିର ସୁପାରିଶକୁ ଆଗେଇ ନେବା ପାଇଁ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ। ଆସନ୍ତା କିଛି ମାସ ମଧ୍ୟରେ ଦେଶର ବିଭିନ୍ନ ଫୋରମରେ ବିସ୍ତୃତ ଆଲୋଚନା ହେବ।”
ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବରରେ ଗଠିତ ହୋଇଥିବା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କମିଟି ରିପୋର୍ଟ ୱାନ୍ ନେସନ୍ ୱାନ୍ ଇଲେକ୍ସନକୁ ମୋଦି ସରକାରଙ୍କ ୩.୦ ଅମଳରେ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଂଜୁରୀ ମିଳିଛି । କେନ୍ଦ୍ର ସରକାରଙ୍କୁ ପାର୍ଲାମେଣ୍ଟ କମିଟି, ୨୦୧୫ରେ ଦୁଇଟି ପର୍ଯ୍ୟାୟରେ ଏକକାଳୀନ ନିର୍ବାଚନ ପାଇଁ ସୁପାରିଶ କରିବା ପରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଏକ କମିଟି ଗଠନ ହୋଇଥିଲା। ଏହି କମିଟି ସମସ୍ତ କ୍ଷେତ୍ରର ବିଶେଷଜ୍ଞଙ୍କ ସହିତ ବ୍ୟାପକ ତଥା ବିସ୍ତୃତ ଆଲୋଚନା କରି, ଏକକାଳୀନ ନିର୍ବାଚନ ପାଇଁ ସୁପାରିଶ କରିଥିଲେ । ୨୦୧୦ରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏହି ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ୨୦୧୪ ମସିହାରେ ବିଜେପି, ତାର ନିର୍ବାଚନୀ ଇସ୍ତାହାରରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଏକ ପ୍ରକ୍ରିୟା ବିକଶିତ କରିବ ବୋଲି କହିଥିଲା । ଏହା ପରେ ୨୦୨୩ ମସିହାରେ ୱାନ୍ ନେସନ୍ ୱାନ୍ ଇଲେକ୍ସନକୁ କାର୍ଯ୍ୟକାରୀ କରିବାକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଏକ କମିଟି ଗଠନ କରିଥିଲେ । ଏହାପରେ ଚଳିତ ବର୍ଷ ମାର୍ଚ୍ଚ ୧୪ ତାରିଖରେ ଏହି କମିଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହି ରିପୋର୍ଟ ପ୍ରଦାନ କରିଥିଲା ।