ନୂଆଦିଲ୍ଲୀ: ମିଆଁମାର ପଟେ ଦେଶକୁ ଅନୁପ୍ରବେଶରେ ଖୁବ ଶୀଘ୍ର ଲାଗିବାକୁ ଯାଉଛି ରୋକ। ଏନେଇ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ନିଷ୍ପତ୍ତି ଅନୁସାରେ, ଖୁବଶୀଘ୍ର ଭାରତ-ମିଆଁମାର ସୀମାରେ ୧,୬୪୩ କିଲୋମିଟର ବ୍ୟାପୀ ତାରବାଡ଼ ଘେରାଯିବ। ଏଥିପାଇଁ ୩୧୦୦୦ କୋଟି ଟଙ୍କାର ବ୍ୟୟ ଅଟକଳକୁ ବୁଧବାର ଭାରତ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ଅନୁମୋଦନ ମିଳିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୩୦ କିଲୋମିଟର ମିଆଁମାର ସୀମାରେ ତାରବାଡ଼ ଘେରାଇବା କାମ ଶେଷ ହୋଇ ସାରିଥିବା ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଭାରତ-ମିଆଁମାରର ସୀମାରେଖା ମଣିପୁର, ମିଜୋରାମ, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶ ସହ ସଂଲଗ୍ନ ହୋଇଥିବା ବେଳେ ମିଆଁମାରରୁ ଭାରତର ବିଭିନ୍ନ ଅଞ୍ଚଳକୁ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଚୋରାଚାଲାଣ ହେବାର ସୂଚନା ମିଳିବା ପରେ ଏହାକୁ ରୋକିବାକୁ ଏହି ନିଷ୍ପତ୍ତି ହୋଇଛି। କେବଳ ଏତିକି ନୁହେଁ, ମଣିପୁର ହିଂସା ପଛରେ ମଧ୍ୟ ମିଆଁମାର ଅନୁପ୍ରବେଶକାରୀ, ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟ ଚୋରାଚାଲାଣର ମୁଖ୍ୟ ଭୂମିକା ରହିଥିବା ଭାରତ ତରଫରୁ ଅଭିଯୋଗ ହୋଇଥିଲା। ପୂର୍ବରୁ ଭାରତ-ମିଆଁମାର ଅବାଧ ଯାତାୟାତ ବ୍ୟବସ୍ଥାକୁ କେନ୍ଦ୍ର ସରକାର ରଦ୍ଦ କରି ସାରିଥିବା ବେଳେ ଏହି ବ୍ୟବସ୍ଥା ଅନୁଯାୟୀ ଉଭୟ ଦେଶର ବାସିନ୍ଦା ବିନା କୌଣସି ବାଧାରେ ପ୍ରତିପକ୍ଷ ଦେଶର ୧୬ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ପାରୁଥିଲେ। କିନ୍ତୁ କେନ୍ଦ୍ର କ୍ୟାବିନେଟ ବୈଠକ ନିଷ୍ପତ୍ତି ଅନୁସାରେ, ସୁରକ୍ଷା ଦୃଷ୍ଟିରୁ ଖୁବଶୀଘ୍ର ଭାରତ-ମିଆଁମାର ସୀମାରେ ୩୧୦୦୦ କୋଟି ବ୍ୟୟରେ ୧,୬୪୩ କିଲୋମିଟର ବ୍ୟାପୀ ତାରବାଡ଼ ଘେରାଯିବ।