ଚେନ୍ନଇ: ଏଠାରେ ଚାଲିଥିବା ଭାରତ-ବାଂଲାଦେଶ ଟେଷ୍ଟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୟସ୍ୱାଲ ଦେଶର କିମ୍ବଦନ୍ତୀ କ୍ରିକେଟ ଖେଳାଳି ସୁନିଲ ଗାଭାସ୍କରଙ୍କର ୫୧ ବର୍ଷ ପୁରାତନ ଟେଷ୍ଟ ରେକର୍ଡ ଭାଙ୍ଗିଛନ୍ତି । ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ ଭାବରେ ଯଶସ୍ୱୀ ୧୦ଟି ଟେଷ୍ଟ ମ୍ୟାଚ ଖେଳି ଏବେ ସର୍ବାଧିକ ରନ୍ ସ୍କୋର କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଗାଭାସ୍କର ୧୦ଟି ଟେଷ୍ଟ ଖେଳି ୯୭୮ ରନ୍ ସ୍କୋର କରିଥିବାବେଳେ ଯଶସ୍ୱୀ ୧୦୯୪ ରନ୍ ସ୍କୋର କରିବାରେ ସଫଳ ହୋଇଛନ୍ତି ।
ଭାରତର ଯୁବ ଓପନର୍ ଯଶସ୍ୱୀଙ୍କର ଏହା ୧୦ମ ଟେଷ୍ଟ ମ୍ୟାଚ, ଯାହା ବାଂଲାଦେଶ ବିପକ୍ଷରେ ସେ ସ୍ଥାନୀୟ ଚିଦମ୍ବରମ୍ ଷ୍ଟାଡିୟମରେ ଖେଳୁଛନ୍ତି । ପ୍ରଥମ ଇନିଂସରେ ଯଶସ୍ୱୀ ୫୬ ରନ ସ୍କୋର କରିଥିବାବେଳେ ଦ୍ୱିତୀୟ ଇନିଂସରେ ମାତ୍ର ୧୦ ରନ୍ ଯୋଗ କରିଛନ୍ତି । ୧୦ଟି ଟେଷ୍ଟରେ ସର୍ବାଧିକ ରନ୍ ସ୍କୋର କରିବାରେ ଗାଭାସ୍କରଙ୍କର ରେକର୍ଡ ୧୯୭୩ରୁ ରହିଆସିଥିଲା । ସୂଚନାଯୋଗ୍ୟ ଯେ ସମଗ୍ର ବିଶ୍ୱରେ ଡନ୍ ବ୍ରାଡମ୍ୟାନ (ଅଷ୍ଟ୍ରେଲିଆ) ସମାନ ସଂଖ୍ୟକ ଟେଷ୍ଟରେ ସର୍ବାଧିକ ୧୪୪୬ ରନ ସ୍କୋର କରିଥିବାବେଳେ ଏଭର୍ଟନ ୱିକିସ୍ (ୱେଷ୍ଟଇଣ୍ଡିଜ) ୧୧୨୫, ଜର୍ଜ ହେଡଲେ (ୱେଷ୍ଟଇଣ୍ଡିଜ) ୧୧୦୨, ଯଶସ୍ୱୀ ଜୟସ୍ୱାଲ ୧୦୯୪ ଏବଂ ମାର୍କ ଟେଲର (ଅଷ୍ଟ୍ରେଲିଆ) ୧୦୮୮ ରନ୍ କରିଛନ୍ତି ।