ୱାଶିଂଟନ: ଇରାନକୁ ଶକ୍ତ ଧମକ ଦେଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ଯଦି ହତ୍ୟା ଉଦ୍ୟମରେ କୋ÷ଣସି ଇସଲାମିକ ରାଷ୍ଟ୍ର ସମ୍ପୃକ୍ତ ଥିବା ଜଣାଯାଏ ତେବେ ସେଗୁଡିକୁ ଖଣ୍ଡ ବିଖଣ୍ଡିତ କରିଦିଆଯିବ । ସୂଚନାଯୋଗ୍ୟ ଯେ ଆମେରିକାରେ ନଭେମ୍ବରରେ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପୁନର୍ବାର ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ହୋଇଛନ୍ତି । ଏଥିସହିତ ତାଙ୍କ ଉପରେ ଏକାଧିକ ଥର ଆକ୍ରମଣ ହୋଇସାରିଲାଣି ଏବଂ ସେ ଇରାନ ପଟୁ ନିଜ ଜୀବନ ପ୍ରତି ବଡଧରଣର ବିପଦ ରହିଥିବା ମନେ କରୁଛନ୍ତି ।
ଟ୍ରମ୍ପ କହିଛନ୍ତି, ସେ ଯଦି ରାଷ୍ଟ୍ରପତି ଥାଆନ୍ତେ ତେବେ ଧମକ ଦେଉଥିବା ରାଷ୍ଟ୍ରକୁ ଏବଂ ବିଶେଷକରି ଇରାନକୁ ଜଣାଇ ଦେଇଥାନ୍ତେ ଯେ ଉକ୍ତ ରାଷ୍ଟ୍ର ଯଦି ତାଙ୍କୁ କ୍ଷତି ପହଞ୍ଚାଇବା ଉଦ୍ୟମ କରେ ତେବେ ସେ ଦେଶର ବଡ ବଡ ସହରକୁ ଧ୍ୱଂସ କରିଦିଆଯିବ ଏବଂ ସମୁଦାୟ ଦେଶକୁ ଟୁକୁଡା ଟୁକୁଡା କରିଦିଆଯିବ । ତାଙ୍କ ଉପରେ ହୋଇଥିବା ବଡ ଧରଣର ଆକ୍ରମଣରେ କିଏ ସଂପୃକ୍ତ ତାହା ସେ ଜାଣନ୍ତି ନାହିଁ, କିନ୍ତୁ ସମ୍ଭବତଃ ଏଥିରେ ଇରାନ ହାତ ଥାଇପାରେ ।