ତେଲ ଆଭିଭ: ଇସ୍ରାଏଲ ସେନା ଆକ୍ରମଣରେ ହେଜବୋଲ୍ଲା ଆତଙ୍କୀ ଗୋଷ୍ଠୀର ଡ୍ରୋନ ବିଭାଗ ମୁଖ୍ୟ ମହମ୍ମଦ ହୁସେନ ସୁରୁରଙ୍କର ପ୍ରାଣହାନି ଘଟିଛି। ଗୁରୁବାର ବେରୁଟରେ ହୋଇଥିବା ଇସ୍ରାଏଲୀ ଆକ୍ରମଣରେ ସୁରୁର ନିହତ ହୋଇଥିଲେ। ଏହାପରେ ହେଜବୋଲ୍ଲା ପକ୍ଷରୁ ଉତ୍ତର ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ କରାଯାଇଥିଲା। ଇସ୍ରାଏଲ ଏହାର କଡା ଜବାବ ଦେଇଛି ଏବଂ ପୂରା ଶକ୍ତି ଖଟାଇ ହେଜବୋଲ୍ଲା ସ୍ଥଳଗୁଡିକ ଉପରେ ଆକ୍ରମଣ କରାଯିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି। ନେତାନ୍ୟାହୁଙ୍କର ଏଭଳି ନିଷ୍ପତ୍ତି ଆମେରିକା ଏବଂ ୟୁରୋପୀୟ ଅଧିକାରୀମାନଙ୍କ ପକ୍ଷରୁ ଦିଆଯାଇଥିବା ଯୁଦ୍ଧ ବିରତି ପ୍ରସ୍ତାବକୁ ବସ୍ତୁତଃ ବିଫଳ କରିଦେଇଛି। ନ୍ୟୁୟର୍କରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଯୋଗଦେବା ଅବସରରେ ନେତାନ୍ୟାହୁ ଦୃଢତାର ସହିତ କହିଛନ୍ତି, ପୂର୍ଣ୍ଣ ଶକ୍ତି ଲଗାଇ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ହେଜବୋଲ୍ଲା ଲକ୍ଷ୍ୟସ୍ଥଳଗୁଡିକ ଉପରେ ଆକ୍ରମଣ ଜାରି ରଖିବ। ନିଜ ଲକ୍ଷ୍ୟ ହାସଲ ନକରିବା ପର୍ଯ୍ୟନ୍ତ ଏହା ଜାରି ରହିବ। ଇସ୍ରାଏଲର ଏଭଳି କଠୋର ନିଷ୍ପତ୍ତି ସତ୍ୱେ ଆମେରିକା ଏବଂ ଫ୍ରାନ୍ସ ୨୧ ଦିନିଆ ଯୁଦ୍ଧବିରତି ପ୍ରସ୍ତାବ କାର୍ଯ୍ୟକାରୀ କରିବା ପ୍ରଚେଷ୍ଟା ଜାରି ରଖିଛନ୍ତି। ହ୍ୱାଇଟ ହାଉସ ମୁଖପାତ୍ର ଜନ କିର୍ବି କହିଛନ୍ତି ଇସ୍ରାଏଲକୁ ଯୁଦ୍ଧ ବିରତି ପ୍ରସ୍ତାବ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବରେ ଅବଗତ କରିଦିଆଯାଇଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଶା ପ୍ରକାଶ କରିଛନ୍ତି ଯେ ତେଲ ଆଭିଭ ଯୁଦ୍ଧ ବିରତି ପ୍ରସ୍ତାବକୁ ଯେଉଁଭଳି ଅଗ୍ରାହ୍ୟ କରିଛି, ତାହା ଚୂଡାନ୍ତ ନୁହେଁ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ଯଦି ଏଥିପାଇଁ ରାଜି ନହୁଅନ୍ତି ତେବେ ତାହା ମସ୍ତବଡ ଭୁଲ ହେବ।