ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଗାଦିଚ୍ୟୁତ କରିବା ପଛରେ କାହାର ହାତ ଥିଲା ତାହା ଦେଶର ବର୍ତ୍ତମାନ ଶାସନ ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଜଣା ଅଛି। ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଆୟୋଜିତ କ୍ଲିଣ୍ଟନ ଗ୍ଲୋବାଲ ଇନିସିଏଟିଭରେ ଉଦବୋଧନ ଦେଇ ୟୁନୁସ କହିଛନ୍ତି ଯୁବ ଛାତ୍ରନେତାମାନଙ୍କର ଆନ୍ଦୋଳନ ହାସିନାଙ୍କୁ ଗାଦି ଛାଡିବାକୁ ବାଧ୍ୟ କରିଥିଲା। ଏଥିପାଇଁ ସେହି ଛାତ୍ରନେତାମାନଙ୍କୁ ୟୁନୁସ ପ୍ରଶଂସା କରିଛନ୍ତି। ସମ୍ପ୍ରତି ବାଂଲାଦେଶ ସରକାରଙ୍କର ମୁଖ୍ୟ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିବା ୟୁନୁସ କହିଛନ୍ତି ଦେଶରେ ଏହି ଜନପ୍ରିୟ ଆନ୍ଦୋଳନ ଯୋଗୁଁ ଦୀର୍ଘ ୧୬ ବର୍ଷର ହାସିନା ସରକାରରେ ଅନ୍ତ ଘଟିଥିଲା। ସେହି ଛାତ୍ର ନେତାମାନେ ସେମାନଙ୍କ ଭାଷଣ, ସେମାନଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ, ସେମାନଙ୍କ ପ୍ରତିବଦ୍ଧତା ପାଇଁ ସାରା ଦେଶକୁ ଦୋହଲାଇ ଦେଇଥିଲେ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ସହିତ ଗୋଟିଏ ମଞ୍ଚରେ ବସିଥିବା ୟୁନୁସ କହିଥିଲେ, ତାଙ୍କର ସ୍ପତନ୍ତ୍ର ସହକାରୀ ମାହଫୁଜ ଆଲାମ ଏହି ଆନ୍ଦୋଳନ ପଛରେ ମୁଖ୍ୟ ବ୍ୟକ୍ତି ଥିଲେ। ଏଭଳି ଆନ୍ଦୋଳନ ଅତର୍କିତ ନଥିଲା, ବରଂ ଯୋଜନାବଦ୍ଧ ଭାବରେ ପ୍ରସ୍ତୁତ କରାଯାଇଥିଲା। ଏହି ଅବସରରେ ସେ ପୂର୍ବ ସରକାରଗୁଡିକର ଛାତ୍ର ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ହିଂସାତ୍ମକ ପଦକ୍ଷେପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଅଥଚ ଛାତ୍ର ସମାଜ ସାହସର ସହିତ ସରକାରୀ ଗୁଳିର ମୁକାବିଲା କରିଛନ୍ତି। ୨୦୨୪ ଜୁଲାଇରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ବିବାଦୀୟ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଅଧିକ ଉଗ୍ର ରୂପ ନେଇଥିଲା।