ୱାଶିଂଟନ୍: ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ଦିଆଯିବା ପାଇଁ ଦୀର୍ଘ ଦିନରୁ ଭାରତ ଦାବି କରିଆସୁଛି। ତେବେ ଚଳିତ ବର୍ଷ ୭୯ତମ ସାଧାରଣ ସଭାରେ ରୁଷିଆ ମଧ୍ୟ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛି।
ସୂଚନାଯୋଗ୍ୟ ଯେ, ମିଳିତ ଜାତିସଂଘର ୭୯ତମ ସାଧାରଣ ସଭାରେ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଭାରତ ସହିତ ବ୍ରାଜିଲର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଥିଲେ। ତାଙ୍କ ଭାଷଣ ସମୟରେ ସେ କହିଥିଲେ ଯେ, “ୟୁଏନଏସସିରେ ଗ୍ଲୋବାଲ ସାଉଥ୍ର ପ୍ରତିନିଧିତ୍ୱ ବିସ୍ତାର କରିବା ପାଇଁ ଏକ ବିଶ୍ୱସ୍ତରୀୟ ଆଦେଶ ଆବଶ୍ୟକ। ଆମେ ପାଶ୍ଚାତ୍ୟ ଦେଶ ସହିତ କଥାବାର୍ତ୍ତା ପାଇଁ ପଛକୁ ହଟୁନାହୁଁ। ଜୁଲାଇରେ, ରୁଷିଆର ପ୍ରସ୍ତାବ ଉପରେ ସୁରକ୍ଷା ପରିଷଦରେ ଏକ ନ୍ୟାୟପୂର୍ଣ୍ଣ, ଅଧିକ ସ୍ଥାୟୀ ବିଶ୍ୱ ଶୃଙ୍ଖଳା ଗଠନ ପ୍ରସଙ୍ଗରେ ଖୋଲା ବିତର୍କ ହୋଇଥିଲା। ଆମେ ବିଶ୍ୱାସ କରୁ ଯେ ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଫୋରମରେ ଆରମ୍ଭ ହୋଇଥିବା ଆଲୋଚନାକୁ ଆଗକୁ ନେବା ଆବଶ୍ୟକ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏକ ବିଶ୍ୱସ୍ତରୀୟ ଶୃଙ୍ଖଳା ପାଇଁ ୟୁଏନଏସସିରେ ଗ୍ଲୋବାଲ ସାଉଥ୍ର ପ୍ରତିନିଧିତ୍ୱ ବିସ୍ତାର କରିବା ଜରୁରୀ।”
ଏହି ପରିପ୍ରେକ୍ଷୀରେ ଲାଭରୋଭ କହିଥିଲେ,”ବ୍ରାଜିଲ ଏବଂ ଭାରତର ପ୍ରାର୍ଥୀତାକୁ ଆମେ ସମର୍ଥନ କରୁଛୁ। ଆଫ୍ରିକୀୟ ୟୁନିଅନର ପଦକ୍ଷେପ ଉପରେ ସକାରାତ୍ମକ ନିଷ୍ପତ୍ତି ନେବାକୁ ମଧ୍ୟ ସମର୍ଥନ କରୁଛୁ। କିନ୍ତୁ ଆମେ ପାଶ୍ଚାତ୍ୟ ଦେଶଗୁଡିକ ପାଇଁ ଅତିରିକ୍ତ ସିଟ୍ ବିଷୟରେ ଆଲୋଚନା କରିପାରିବୁ ନାହିଁ। ପାଶ୍ଚାତ୍ୟ ଦେଶ ପୂର୍ବରୁ ୟୁଏନଏସସିରେ ଅଧିକ ପ୍ରତିନିଧିତ୍ବ ହାସଲ କରିସାରିଛନ୍ତି।”
ପ୍ରକାଶଥାଉ କି, ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟ ଅଛନ୍ତି। ସେମାନେ ହେଉଛନ୍ତି ଆମେରିକା, ଫ୍ରାନ୍ସ, ବ୍ରିଟେନ, ରୁଷିଆ ଏବଂ ଚୀନ୍। ସେଥିମଧ୍ୟରୁ ଚାରିଟି ଦେଶ ଆମେରିକା, ଫ୍ରାନ୍ସ, ବ୍ରିଟେନ ଏବଂ ରୁଷିଆ କ୍ରମାଗତ ଭାବରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଆସୁଛନ୍ତି। ବ୍ରିଟେନ, ଆମେରିକା, ଫ୍ରାନ୍ସ, ଭୁଟାନ, ପର୍ତ୍ତୁଗାଲ ଏବଂ ଚିଲି ଭାରତକୁ ୟୁଏନଏସସିର ସ୍ଥାୟୀ ସଦସ୍ୟ କରିବା ପାଇଁ ସମର୍ଥନ ଜଣାଇଛନ୍ତି। ତେବେ ବିକାଶଶୀଳ ଦେଶର ସ୍ୱାର୍ଥର ଉତ୍ତମ ପ୍ରତିନିଧିତ୍ୱ ପାଇଁ ଭାରତ ଦୀର୍ଘ ଦିନ ଧରି ଜାତିସଂଘରେ ସ୍ଥାୟୀ ଆସନ ଦାବି କରିଆସୁଛି। ଅପରପକ୍ଷରେ ବିଶ୍ୱର ଅନେକ ଦେଶ ଭାରତକୁ ସମର୍ଥନ କରୁଥିବା ବେଳେ ଶୁକ୍ରବାର ଭୁଟାନର ପ୍ରଧାନମନ୍ତ୍ରୀ ମଧ୍ୟ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରି କହିଥିଲେ, “ଯେ ଭାରତ ଏଥିପାଇଁ ଯୋଗ୍ୟ।”