ୱାଶିଂଟନ: ମଧ୍ୟପ୍ରାଚ୍ୟରେ ଆମେରିକାର ମଜଭୁତ ସାମରିକ ଉପସ୍ଥିତି ରହିଛି । ଏହା ଇସ୍ରାଏଲକୁ ସୁରକ୍ଷା ଦେବାକୁ ସମର୍ଥ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି । ହ୍ୱାଇଟ ହାଉସର ଜାତୀୟ ନିରାପତ୍ତା ମୁଖପାତ୍ର ଜନ କିର୍ବି ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଏଥିସହିତ ସେ ଦୃଢତାର ସହିତ କହିଛନ୍ତି, ଇସ୍ରାଏଲ ଜନସାଧାରଣ ଏବଂ ତାହାର ଭୂଭାଗ ପ୍ରତି ଦେଖାଦେଉଥିବା ବିପଦର ମୂଳୋତ୍ପାଟନ କରିବା ଅଧିକାର ଇସ୍ରାଏଲର ରହିଛି ।
କିର୍ବି କହିଛନ୍ତି ଇସ୍ରାଏଲ ଯୁଦ୍ଧ ପରିବ୍ୟାପ୍ତ ହେଉଥିବା ବେଳେ ମଧ୍ୟପ୍ରାଚ୍ୟରେ ଆମେରିକାର ନିଜର ସାମରିକ ଶକ୍ତି ମୁତୟନ କରିବା ସହିତ ଦୃଢ ସ୍ଥିତିରେ ରହିଛି । ଏବେ ଇସ୍ରାଏଲ ଗାଜାରେ ହମାସ ବିରୁଦ୍ଧରେ ଯୁଦ୍ଧ ସହିତ ଲେବାନନରେ ହେଜବୋଲ୍ଲା ଆତଙ୍କୀ ଗୋଷ୍ଠୀ ବିରୁଦ୍ଧରେ ଜୋରଦାର ଆକ୍ରମଣ ଜାରି ରଖିଛି । ଏପରିକି ଇସ୍ରାଏଲ ସେନା ଲେବାନନରେ ସ୍ଥଳ ଯୁଦ୍ଧ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏଭଳି ପରିସ୍ଥିତିରେ ଇସ୍ରାଏଲକୁ ସହାୟତା ଦେବା ଏବଂ ପୂର୍ଣ୍ଣ ସମର୍ଥନ କରିବାକୁ ଆମେରିକା ଉକ୍ତ ଅଞ୍ଚଳରେ ମଜଭୁତ ସ୍ଥିତିରେ ରହିଛି । ଗତ ଏପ୍ରିଲ ମାସରେ ଇରାନ ପଟୁ ଇସ୍ରାଏଲ ଉପରକୁ ଶତାଧିକ କ୍ଷେପଣାସ୍ତ୍ର ମାଡ କରାଯିବା ପରଠାରୁ ଆମେରିକା ଉକ୍ତ ଅଞ୍ଚଳକୁ ନିଜର ଅଧିକ ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ପଠାଇ ସାରିଛି । ଏକ ବିମାନବାହୀ ଯୁଦ୍ଧଜାହାଜ ଏବଂ ମରିନ ୟୁନିଟକୁ ପୂର୍ବ ଭୂମଧ୍ୟସାଗରରେ କଡା ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି । ସେମାନଙ୍କୁ ଆମେରିକାର ଲଢୁଆ ବିମାନଗୁଡିକ ସହାୟତା କରୁଛନ୍ତି ।