ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସଞ୍ଜୁ ସାମ୍ସନଙ୍କୁ ତାଙ୍କ କ୍ୟାରିୟରର ୯ ବର୍ଷ ପରେ ପ୍ରଥମ କରି ଓପନର ଏବଂ କିପର୍ ସୁଯୋଗ ମିଳିଛି । ବାଂଲାଦେଶ ବିପକ୍ଷରେ ଟି୨୦ ମ୍ୟାଚ ନିମନ୍ତେ ସଞ୍ଜୁଙ୍କୁ ଏହି ସୁଯୋଗ ଦିଆଯାଇଛି । ତେବେ ଏହା ମଧ୍ୟ ତାଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ ବୋଲି କୁହାଯାଉଛି । ଭାରତ ଓ ବାଂଲାଦେଶ ମଧ୍ୟରେ ତିନିଟି ଟି୨୦ ମ୍ୟାଚ ଖେଳାଯିବା କାର୍ଯ୍ୟକ୍ରମ ରହିଛି । ଭାରତୀୟ ମନୋନୟନକାରୀମାନେ ୧୫ ଜଣିଆ ଦଳରେ ବାମହାତୀ ଅଭିଷେକ ଶର୍ମାଙ୍କୁ ଜଣେ ମାତ୍ର ସ୍ପେଶାଲିଷ୍ଟ ଓପନିଂ ବ୍ୟାଟସ୍ମ୍ୟାନ ଭାବରେ ଘୋଷଣା କରିଛନ୍ତି । ସେ ୨୦୨୪ ଆଇପିଏଲ୍ରେ ସନରାଇଜର୍ସ ହାଇଦରାବାଦ ପାଇଁ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ଏବଂ ଟି୨୦ରେ ଶତକ ହାସଲ କରିସାରିଛନ୍ତି । ଆଶା କରାଯାଉଛି ଯେ ବାଂଲାଦେଶ ସହିତ ତିନିଟି ଟି୨୦ ଶୃଙ୍ଖଳାରେ ତାଙ୍କ ସହିତ ୨୯ ବର୍ଷ ବୟସ୍କ ସାମ୍ସନଙ୍କୁ ସହଯୋଗୀ କରାଯାଇପାରେ । ସାମ୍ସନଙ୍କ ନିକଟରେ ଅନେକ ସାମର୍ଥ୍ୟ ଓ ସମ୍ଭାବନା ଭରିରହିଛି ଯାହା ଏଯାଏ ପୂର୍ଣ୍ଣ ପ୍ରକାଶିତ ହୋଇନାହିଁ । ତାଙ୍କର ଚମତ୍କାର ଏଦବିବସୀୟ ଆନ୍ତର୍ଜାତିକ ରେକର୍ଡ ରହିଛି, କିନ୍ତୁ ୨୦ ଓଭର ଖେଳରେ ସେ ସେଭଳି ପ୍ରଦର୍ଶନ କରିପାରିନାହାନ୍ତି । ଅବଶ୍ୟ ତାଙ୍କୁ ସେଭଳି ଅଧିକ ସଂଖ୍ୟକ ମ୍ୟାଚ ଖେଳିବାକୁ ସୁଯୋଗ ମିଳିନାହିଁ; କିନ୍ତୁ ୨୦୧୫ରେ କ୍ୟାରିୟର ଆରମ୍ଭ କରିବା ପରଠାରୁ ତାଙ୍କୁ ଆଠବର୍ଷ ମଧ୍ୟରେ ମାତ୍ର ୩୦ଟି ଟି୨୦ ମ୍ୟାଚ ଖେଳିବା ସୁଯୋଗ ମିଳିଛି, ଯାହାକୁ ନେଇ ସେ ସନ୍ତୁଷ୍ଟ ଅଛନ୍ତି ।