ନୂଆଦିଲ୍ଲୀ: ହରିୟାଣାରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିବା ପରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ମଧ୍ୟ ଗୋଟିଏ ପରେ ଗୋଟିଏ ଝଟକା ଦେଇ ଚାଲିଛନ୍ତି। ହରିୟାଣାରେ କଂଗ୍ରେସ ୩୯ଟି ଆସନ ଜିତିଥିବା ବେଳେ ବିଜେପି ବିଜୟ ହାସଲ କରିଛି। ତେବେ ପରାଜୟ ପରେ ପ୍ରଥମେ ଏଏପି ଓ ପରେ ଉଦ୍ଧବ ଠାକରେଙ୍କ ଶିବସେନା ସହଯୋଗୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିବା ବେଳେ ଏବେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ମଧ୍ୟ କଂଗ୍ରେସକୁ ବଡ଼ ଝଟ୍କା ଦେଇଛି।
ସୂଚନାଯୋଗ୍ୟ ଯେ, ଖୁବଶୀଘ୍ର ଉତ୍ତର ପ୍ରଦେଶ ଉପ ନିର୍ବାଚନ ହେବାକୁ ଯାଉଥିବା ବେଳେ କଂଗ୍ରେସ ଓ ଏସପି ଇଣ୍ଡିଆ ମେଣ୍ଟର ସଦସ୍ୟ ହୋଇଥିବା ସତ୍ତ୍ୱେ କଂଗ୍ରେସ ସହ ଆଲୋଚନା ନକରି ସମାଜବାଦୀ ପାର୍ଟି ପ୍ରାର୍ଥୀ ତାଲିକା ଜାରି କରିଛି। ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେବାକୁ ଥିବା ୧୦ ବିଧାନସଭା ଆସନର ଉପ ନିର୍ବାଚନ ପାଇଁ ଏହି ପ୍ରାର୍ଥୀ ତାଲିକା ଜାରି ହୋଇଥିବା ବେଳେ ଦଳ ପକ୍ଷରୁ ୧୦ଟି ଆସନ ମଧ୍ୟରୁ ୬ଟି ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି।
ପୂର୍ବରୁ କଂଗ୍ରେସ ଏହି ୧୦ ଆସନରୁ ୫ଟିରେ ଲଢିବାକୁ ଚାହୁଁଥିବା ବେଳେ ସମାଜବାଦୀ ପାର୍ଟି ଲୋକ ସଭାରେ ଭଲ ପ୍ରଦର୍ଶନ କରିଥିବାରୁ ଦଳ ପକ୍ଷରୁ ୬ଟି ଆସନ ପାଇଁ ପ୍ରାର୍ଥୀ ଦିଆଯାଇଛି।
ପ୍ରକାଶଥାଉ କି, ଲୋକ ସଭାରେ ସମାଜବାଦୀ ପାର୍ଟି ଉତ୍ତର ପ୍ରଦେଶର ୬୨ଟି ଆସନରେ ପ୍ରାର୍ଥୀ ଦେଇ ୩୭ଟିରେ ଜିତିଥିବା ବେଳେ କଂଗ୍ରେସ ୧୭ଟି ଆସନରେ ପ୍ରାର୍ଥୀ ଦେଇ ୬ଟିରେ ଜିତି ଥିଲା। ଏହି ସଂଖ୍ୟା ଆଧାରରେ ଉପ ନିର୍ବାଚନ ପାଇଁ ଦଳ ୬ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି।
ତେବେ ଏ ସମ୍ପର୍କରେ ଏସପି ନେତା ରବିଦାସ ମେହରୋତ୍ରା କହିଛନ୍ତି ଯେ, “ଉତ୍ତର ପ୍ରଦେଶ ଉପ ନିର୍ବାଚନରେ ଭାଜପାକୁ ହରାଇବାର କ୍ଷମତା ରଖିଥିବା ୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବା ବେଳେ କଂଗ୍ରେସ ସହ ବାକି ୪ ଆସନ ପାଇଁ କଥାବାର୍ତ୍ତା ଚାଲିଛି। ଆମର ଆଶା କଂଗ୍ରେସ ମେଣ୍ଟ କରିବ। ଆମେ ଭାଜପାକୁ ଉତ୍ତର ପ୍ରଦେଶ ଉପ ନିର୍ବାନରେ ହରାଇବାକୁ ଚାହୁଁଛୁ। ତେଣୁ ଆମେ ୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛୁ।”