ଅଟାୱା: ଦିନକୁ ଦିନ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଦଳର ସଦସ୍ୟ ମାନଙ୍କ ଦ୍ୱାରା ବିବାଦ ମଧ୍ୟକୁ ଟାଣି ହୋଇଯାଇଛନ୍ତି। ଯେକୌଣସି ସମୟରେ ସେ ନିଜର କ୍ଷମତା ହରାଇ ପାରନ୍ତି ବୋଲି ସମ୍ଭାବନା ଥିବା ସୂଚନା ମିଳିଛି। ଲିବରାଲ୍ ପାର୍ଟିର ସାଂସଦ ମାନେ ଅସନ୍ତୁଷ୍ଟ ହୋଇ ତାଙ୍କୁ ଗାଦିଚ୍ୟୁତ କରିବା ଯୋଜନା କରୁଥିବା ସୂଚନା ମିଳିଛି। ନିକଟରେ ଟରୋଣ୍ଟୋ-ସେଣ୍ଟରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଟ୍ରୁଡୋଙ୍କ ଦଳ ହାରି ଯାଇଥିଲା।
ନିକଟରେ କାନାଡିୟ ବ୍ରଡକାଷ୍ଟିଂ କର୍ପୋରେସନ୍ (ସିବିସି) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉପ-ନିର୍ବାଚନରେ ପରାଜୟ ପରେ ଲିବରାଲ୍ ପାର୍ଟି ମଧ୍ୟରେ ଟ୍ରୁଡୋଙ୍କ ନେତୃତ୍ୱ ବିରୋଧରେ ଅସନ୍ତୋଷ ବୃଦ୍ଧି ପାଇଛି। ଅସନ୍ତୁଷ୍ଟ ସାଂସଦମାନଙ୍କ ମଧ୍ୟରେ ନେତୃତ୍ୱ ପରିବର୍ତ୍ତନ ବିଷୟରେ ଆଲୋଚନା ଆରମ୍ଭ ହୋଇଥିବା ସୂଚନା ପ୍ରକାଶ ପାଇଛି। ଦଳର ସଦସ୍ୟ ମାନଙ୍କ ମଧ୍ୟରେ ଗୁପ୍ତ ବୈଠକରୁ ହୋଇଥିବା ବେଳେ ଏହି ବୈଠକରେ ସାଂସଦମାନଙ୍କୁ ନେତୃତ୍ୱ ପରିବର୍ତ୍ତନ ପାଇଁ ପ୍ରତିଶ୍ରୁତି ଦେବାକୁ ଏକ ଡକ୍ୟୁମେଣ୍ଟରେ ଦସ୍ତଖତ କରିବାକୁ କୁହାଯାଇଥିଲା। ଜଷ୍ଟିନ ଟ୍ରୁଡୋଙ୍କ କ୍ଷମତାଚ୍ୟୁତ କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୨୦ ଜଣ ସାଂସଦ ଏହି ଡକ୍ୟୁମେଣ୍ଟରେ ଦସ୍ତଖତ କରିଛନ୍ତି।
ପ୍ରକାଶ ଥାଉ କି, ଲାଓସରେ ଅନୁଷ୍ଠିତ ହୋଇଥିବା ଏସିଆନ- ଭାରତ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଟ୍ରୁଡୋ ଆସିଥିବା ବେଳେ ଏଭଳି ଆଲୋଚନା ବୃଦ୍ଧି ପାଇଛି। ତେବେ ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି ଯେ ନିର୍ବାଚନ ପାଖେଇ ଆସୁଥିବାରୁ ଦଳ ଭିତରେ ଚିନ୍ତା ବଢ଼ିଚାଲିଛି ଏବଂ ସାଂସଦମାନେ ଟ୍ରୁଡୋଙ୍କୁ ଗାଦିରୁ ହଟାଇବାକୁ ଚାହୁଁଛନ୍ତି। ଟ୍ରୁଡୋଙ୍କ ସଂଖ୍ୟାଲଘୁ ସରକାର ଆହୁରି ଦୁର୍ବଳ ହୋଇଯାଇଥିବାରୁ ତାଙ୍କ ନିଜ ଦଳର ଲୋକମାନେ ଇସ୍ତଫା ଦାବି କରୁଛନ୍ତି।
ପ୍ରକାଶଥାଉ କି, ଟ୍ରୁଡୋଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ସହିତ କାନାଡାର ସମ୍ପର୍କ ଖରାପ ହୋଇଯାଇଛି। ୨୦୨୩ ମସିହା ସେପ୍ଟେମ୍ବର ୧୮ରେ ଜଷ୍ଟିନ ଟ୍ରୁଡୋ କାନାଡା ସଂସଦରେ କହିଥିଲେ ଯେ ଖାଲିସ୍ତାନୀ ନେତା ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟାରେ ଭାରତର ଗୁପ୍ତଚର ସଂସ୍ଥା ସମ୍ପୃକ୍ତ ଥିଲା। ଏହି ବିବୃତ୍ତି ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା।