ୟୁଏଇ: ରବିବାର ୟୁଏଇରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ମହିଳା କ୍ରିକେଟ ଟିମର ସେମି ଫାଇନାଲ ଆଶା ମଉଳି ଯାଇଛି। ଏହି ମ୍ୟାଚ୍ରେ ଭାରତୀୟ ଟିମ ଅଷ୍ଟ୍ରେଲିଆ ଠାରୁ ପରାଜୟ ବରଣ କରିଥିବା ସୂଚନା ମିଳିଛି।
ରବିବାର ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବିନିମୟରେ ୧୫୧ ରନ କରିଥିଲା। ଏହାର ଜବାବରେ ଭାରତ ଚେଷ୍ଟା କରିଥିଲେ ହେଁ ମ୍ୟାଚ ଜିତି ପାରି ନଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ବିନିମୟରେ ଭାରତ ୧୪୨ ରନ କରିଥିବା ବେଳେ ମାତ୍ର ୯ ରନରେ ମ୍ୟାଚ୍ ହାରି ଯାଇଥିଲା।
ତେବେ ଭାରତକୁ ସେମି ଫାଇନାଲ ଆଶା ପୂରଣ କରିବା ପାଇଁ ହେଲେ ସୋମବାର ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଉପରେ ନିର୍ଭର କରିବାକୁ ପଡ଼ିବ। ଏହି ମ୍ୟାଚରେ ଯଦି ପାକିସ୍ତାନ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦିଏ ତା’ହେଲେ ରନ ରେଟ ଆଧାରରେ ଭାରତ ସେମି ଫାଇନାଲକୁ ଯିବାର ସମ୍ଭାବନା ରହିଛି। ଅଷ୍ଟ୍ରେଲିଆ ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ସେମିରେ ପ୍ରବେଶ କରିଥିବା ବେଳେ ଏବେ ଭାରତ ଟିମ ପାକିସ୍ତାନ ଉପରେ ନିର୍ଭରଶୀଳ।