ଲକ୍ଷ୍ନୋ: ଉତ୍ତର ପ୍ରଦେଶରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଗୋଷ୍ଠୀ ସଂଘର୍ଷ ଓ ହିଂସାକାଣ୍ଡ ଘଟି ଜଣଙ୍କର ମୃତୁ୍ୟ ଘଟିଛି । ପୋଲିସ ଏହି ଘଟଣାରେ ୩୦ ଜଣଙ୍କୁ ଅଟକ ରଖିଛି । ଘଟଣା ଘଟିଛି ରାଜ୍ୟର ବାହାରିଚ ଜିଲ୍ଲାରେ । ଏଥିରେ ସଂପୃକ୍ତ ଦୋଷୀଙ୍କୁ ଛଡାଯିବ ନାହିଁ ଏବଂ କଠୋର ଦଣ୍ଡବିଧାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଜଣାଯାଇଛି ଯେ ମୂର୍ତ୍ତି ବିସର୍ଜନ ସମୟରେେ ସଂଗୀତ ବଜାଇବାକୁ ନେଇ ଗଣ୍ଡଗୋଳ ଘଟିଥିଲା ଏବଂ ତାହା ହିଂସ୍ରକ ରୂପ ନେଇଥିଲା । ସେଥିରେ ଜଣେ ୨୨ ବର୍ଷ ବୟସ୍କ ଯୁବକ ରାମଗୋପାଳ ମିଶ୍ରଙ୍କର ପ୍ରାଣହାନି ଘଟିଥିଲା । ଘଟଣା ଘଟିବା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ଲୋକମାନେ ଅନେକ ଯାନବାହନରେ ନିଆଁ ଲଗାଇ ଦେଇଥିଲେ । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ପଥର ମାଡ କରିବା ସହିତ ଗୁଳି ଚଳାଇଥିଲେ । ପୋଲିସ ଏହି ଘଟଣାରେ ୩୦ ଜଣଙ୍କୁ ଅଟକ ରଖିଛି । ସେମାନଙ୍କ ମଧ୍ୟରେ ସଲମାନ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଓ ଦୋକାନରୁ ଗୁଳି ଚଳାଯାଇଥିବା ପୋଲିସକୁ ପ୍ରମାଣ ମିଳିଛି ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ସମ୍ପର୍କରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରି ପରିସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି । ‘ଏକ୍ସ’ରେ ପୋଷ୍ଟକରି ସେ କହିଛନ୍ତି ଯେ, ଯେଉଁମାନେ ଆଇନଶୃଙ୍ଖଳା ଭଙ୍ଗ କରିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତଙ୍କ ସୁରକ୍ଷା ନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ । ଏହି ଘଟଣାରେ ଦଙ୍ଗାକାୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିଦେ୍ର୍ଦଶ ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଦୂର୍ଗା ମୂର୍ତ୍ତିକୁ ଭସାଣ ଶୋଭାଯାତ୍ରାରେ ନିଆଯାଉଥିବା ବାଟରେ ମସଜିଦ ନିକଟରେ ନମାଜ ପାଠ ଚାଲିଥିଲା । ଶୋଭାଯାତ୍ରାକାରୀମାନେ ସେହି ସ୍ଥାନରେ ଉଚ୍ଚ ସ୍ୱରରେ ମାଇକ ବଜାଇବାରୁ ତାହାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା ।